ମାସ୍କୋ ଏବଂ କାର୍ପର ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମାସ୍କୋ ଏବଂ କାର୍ପର ମିଳିତ ଆନୁକୂଲ୍ୟରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହିଂଜିଳି ବ୍ଲକ ଅନ୍ତର୍ଗତ ଶାସନ ଆମ୍ବଗାଁ, ଗୋଦରା ପଲ୍ଲୀ, ମୋହନା ପଲ୍ଲୀ ଠାରେ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମଟିକୁ ବ୍ରହ୍ମପୁର ଉପଖଣ୍ଡ ଫରେଷ୍ଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ ଡ଼ଃ ରାମକୃଷ୍ଣ ସାହୁ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତାର ସମ୍ପର୍କରେ ଆଲୋକପାତ କରିଥିଲେ । ବୃକ୍ଷ ହିଁ ଆମ ଜୀବନ, ବୃକ୍ଷ ଆମର ବନ୍ଧୁ, ଆଜନ୍ମ ସାଥିଟିଏ । ବର୍ତ୍ତମାନର କୋଭିଡ ପରିସ୍ଥିତିରେ ସାରା ବିଶ୍ୱ କରୋନା କବଳିତ ହୋଇ ରହିଛି । ଏହି ସମୟରେ ଅମ୍ଳଜାନର ବିଶେଷ ମହତ୍ୱପୂର୍ଣ୍ଣ ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟବକ୍ତା ଭାବେ ଜଙ୍ଗଲ ବିଭାଗର କର୍ମକର୍ତ୍ତା ସନ୍ତୋଷ କୁମାର ସାହୁ ଯୋଗଦେଇ ଗ୍ରାମାଞ୍ଚଳରେ ବୃକ୍ଷ ରୋପଣର ଉପକାରୀତା ଏବଂ ପରିବେଶ ଉପରେ ତାର ପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ଅମର-ଜିତ ପରିଡା ଯୋଗଦେଇ ବୃକ୍ଷର ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୟାନନ୍ଦ ସାହୁ, ଶ୍ରୀମତୀ ଝିଲ୍ଲି କୁମାରୀ ସାହୁ, ସ୍ମରଣୀକା ସାମନ୍ତରାୟ, ସମୀର କୁମାର ବେହେରା, ସୁନୀଲ କୁମାର ସାବତ, ନବଘନ ପରିଡା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ସୂଚନାରୁ ପ୍ରକାଶ ଯେ’ ମାସ୍କୋ ଏବଂ କାର୍ପ ହିଂଜିଳି ବ୍ଲକର ବିଭିନ୍ନ ଗ୍ରାମର ସ୍କୂଲ ପରିସର ଏବଂ ରାସ୍ତା କଡରେ ପ୍ରାୟ ୧୦୦୦ ଚାରା ରୋପଣ କରିବା ପାଇଁ ଯୋଜନା କରିଛି । ତେଣୁ ଜନସାଧାରଣ ମାନଙ୍କୁ ଅନୁରୋଧ ଏହି ମହତ କାର୍ଯ୍ୟରେ ମାସ୍କୋ ଏବଂ କାର୍ପ ଅନୁଷ୍ଠାନକୁ ସହଯୋଗର ହାତ ବଢ଼ାଇଲେ ପରିବେଶର ସୁରକ୍ଷା ହୋଇପାରିବ ବୋଲି ଡ଼ଃ ସାହୁ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

eight + thirteen =