ଚଳକୀରୁ ୧୦ଦାଦନ ଶ୍ରମିକ ଉଦ୍ଧାର : ଟାଟା ମ୍ୟାଜିକ ଜବତ, ଡ୍ରାଇଭରଙ୍କୁ କୋର୍ଟ ଚାଲାଣ, ସର୍ଦ୍ଦାର ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଳକୀ ଛକରୁ ଜଏଁତରା ଗ୍ରାମର ୧୦ଜଣ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ମୁରିବାହାଲ ପୁଲିସ ଦ୍ଵାରା ଉଦ୍ଧାର ହୋଇଥିବା ଜଣାପଡିଛି । ଏମାନଙ୍କୁ ଚାଲାଣରେ ବ୍ୟବହାର ହୋଇଥିବା ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ଜବତ ସହ କେବଳ ଏହାର ଡ୍ରାଇଭରଙ୍କୁ ପୁଲିସ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ଅନ୍ୟପକ୍ଷରେ ଏହି ଦାଦନ ଶ୍ରମିକମାନଙ୍କୁ ଚାଲାଣ କରୁଥିବା ଚଳକୀ ଅଞ୍ଚଳର ଜଣେ ମୁଖ୍ୟ ସର୍ଦ୍ଧାର ଦିବାକର ଚନ୍ଦନ ଏ ପର୍ଯ୍ୟନ୍ତ ଧରାପଡ଼ିନଥିବା ବେଳେ ସେ ଫେରାର ଥିବା ପୋଲିସ ପ୍ରକାଶ କରିବା ଆଲୋଚନାର ବିଷୟ ହୋଇଛି । ଉଦ୍ଧାର ଦାଦନ ଶ୍ରମିକମାନଙ୍କ ମଧ୍ୟରେ ଜଏଁତରା ଗ୍ରାମର ୪ ପୁରୁଷ, ୩ ମହିଳା ଓ ୩ ଶିଶୁ ଥିବା ଜଣାପଡିଛି ।ଏମାନଙ୍କୁ ଚଳକୀ ବଜାର ଛକରୁ ଶୁକ୍ରବାର ସକାଳ ସାଢ଼େ ଛଅଟାରେ ପୁଲିସ ପେଟ୍ରୋଲିଂ ବେଳେ ଉଦ୍ଧାର କରାଯାଇଥିବା ବେଳେ ଟିଟିଲାଗଡ ନେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା କରାଯାଇଥିବା ଜଣାପଡ଼ିଛି । ଚାଲାଣରେ ବ୍ୟବହୃତ ଟାଟା ମ୍ୟାଜିକ ଓଡି ୦୩ଇ ୨୬୪୧କୁ ପୁଲିସ୍ ଜବତ କରିଥିଲା । ଏମାନଙ୍କୁ ଚାଲାଣ କରୁଥିବା ଦାଦନ ସର୍ଦ୍ଧାର ଦିବାକର ଚନ୍ଦନ ଫେରାର ହୋଇଯାଇଥିବା ବେଳେ ଟାଟା ମ୍ୟାଜିକର ଡ୍ରାଇଭର ଏହି ଥାନା ଜଏଁତରା ଗ୍ରାମର ବିରଞ୍ଚି ଘିବେଳା (୨୨)ଙ୍କୁ ପୁଲିସ କେସ ନ ୩୨୮/୨୩ରୁଜ୍ଜୁ କରି ଅଟକ ରଖି ଅଧିକ ତଦନ୍ତ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି । ତେବେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଗତ ୨ଟି ଦାଦନ ଶ୍ରମିକ ଉଦ୍ଧାର ଘଟଣାରେ ମଧ୍ୟ ଛୋଟ ଦଲାଲ, ଡ୍ରାଇଭର ଧରାପଡୁଥିବା ବେଳେ ଏହି ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ ମୁଖ୍ୟ ଦାଦନ ସର୍ଦ୍ଦାରମାନେ ସବୁବେଳେ ପୁଲିସ ଓ ପ୍ରଶାସନର ପରଦା ଆଢ଼ୁଆଳରେ ରହି ଫେରାର ହୋଇଯାଉଥିବା ଭଳି ଗୁରୁତର ସାଙ୍ଘାତିକ ଅଭିଯୋଗ ହେଉଛି ।

Leave A Reply

Your email address will not be published.