ବଲାଙ୍ଗିର ପୌର ପାଳିକାରେ ଶ୍ରମିକ ଦିବସ ପାଳିତ : ଦଳିତ ନେତା ଦ୍ରୋଣ କୁମ୍ଭାର ସଫେଇ କର୍ମଚାରୀ ସଂଘର ନୂତନ ସଭାପତି ମନୋନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୌର ପାଳିକା ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସଫେଇ କର୍ମଚାରୀ ସଂଘ ଦ୍ୱାରା ପାଳିତ ଏହି ଶ୍ରମିକ ଦିବସ ଅବସରରେ ଦଳିତ ନେତା ଦ୍ରୋଣ କୁମ୍ଭାରଙ୍କୁ ସର୍ବସମ୍ମତିକ୍ରମେ ନୂତନ ସଭାପତି ଭାବେ ମନୋନିତ କରାଯାଇଥିଲା । ଶ୍ରୀ କୁମ୍ଭାର ଦାୟିତ୍ୱ ଗ୍ରହଣ କରିବା ସହ ସଫେଇ କର୍ମଚାରୀମାନଙ୍କର ହକ୍‌ର ଲଢେଇକୁ ଆହୁରି ପ୍ରଖର ତଥା ସାଣିତ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେ ଆହୁରି କହିଥିଲେ ଯେ ଖରା, ବର୍ଷା, ଶୀତ ଖାଇ ବର୍ଷସାରା ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଦିନ ରାତି ପରିଶ୍ରମ କରୁଥିବା ସଫେଇ କର୍ମଚାରୀମାନଙ୍କର ଅବସ୍ଥା ଦିନକୁ ଦିନ ଦୁର୍ବଳ ହେବା ପାଇଁ ଲାଗିଛି । ନା ସଂସ୍ଥା ନା ସରକାର ନା ଜନତା ସେମାନଙ୍କ ଅବସ୍ଥା ଉପରେ ନଜର ପକାଉଛନ୍ତି । ନିଜ ହକ୍‌ ପାଇଁ ବାରମ୍ବାର ଦାବୀ ଓ ଧାରଣା ଦେଇ ସଫେଇ କର୍ମଚାରୀମାନେ ନୟାନ୍ତ ହେଲେଣି । ଉପକରଣ ଅଭାବ ସହିତ ଆର୍ଥିକ ଦୂରାବସ୍ଥା ସେମାନଙ୍କୁ ଘାଇଲା କରିଛି । ସାରା ସହରର ସଫେଇ ବୋଝ ବୋହୁ ଥିବା ଏହି କର୍ମଚାରୀମାନେ ନିଜର ପରିବାରର ଭରଣ ପୋଷଣ କରିବା ପାଇଁ ଅସମର୍ଥ ହେଉଛନ୍ତି । ସେମାନଙ୍କୁ ଠିକ୍‌ ସମୟରେ ନା’ ଦରମା ମିଳୁଛି ନା’ ବର୍ଷ ବର୍ଷ ଧରି କାମ କଲା ପରେ ତାଙ୍କର ଚାକିରି ସ୍ଥାୟୀ ହୋଇପାରୁଛି । ବୋଝ ଉପରେ ନଳିତା ବିଡା ପରି ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସଫେଇର ବୋଝ ବଢାଉଛି । ଯଦି ସରକାର ପ୍ରକୃତରେ ଆମ ସହରକୁ ସୁସ୍ଥ ଓ ସ୍ୱଚ୍ଛ ରଖିବା ପାଇଁ ଚାହୁଁଛନ୍ତି ତାହା ହେଲେ ପ୍ରଥମେ ଏହି ସଫେଇ କର୍ମଚାରୀମାନଙ୍କୁ ସମର୍ଥ କରିବାକୁ ହେବ । ନ ହେଲେ ସଫେଇ କର୍ମଚାରୀ ସଫେଇ କରିବାକୁ ଅସମର୍ଥ ହେଲେ ସବୁ ଯୋଜନା କେବଳ ଯୋଜନାରେ ହିଁ ସୀମିତ ରହିବ । ଏଣୁ ଆସନ୍ତା ସମୟରେ ବଲାଙ୍ଗିର ପୌର ପାଳିକା ସଫେଇ କର୍ମଚାରୀ ସଂଘ ନିଜ ତଥା ସହରର ସ୍ୱାର୍ଥ ପାଇଁ ଲଢେଇକୁ ଜୋରଦାର କରିବ ବୋଲି କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ତଥା ଉପଦେଷ୍ଟା ନରସିଂହ ଦୀପ, ଦିପକ ରଂଜନ ନାଏକ, ସଂପାଦକ ଧନମତ କୁମ୍ଭାର, ସହସଂପାଦକ ସୁରେନ୍ଦ୍ର ମଛଖଣ୍ଡ ପ୍ରମୁଖ ମଂଚାସୀନ ଥିବା ବେଳେ ଶତାଧିକ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 5 =