କବି, ସାହିତ୍ୟିକ, ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ଦେହାନ୍ତ : ବିଭିନ୍ନ ମହଲରେ ଶୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ଅସୁସ୍ଥତା ଭିତ୍ତିରେ ବାର୍ଦ୍ଧକ୍ୟଜନିତ କାରଣରୁ ୭୮ ବର୍ଷ ବୟସରେ ତାହାଙ୍କ ନିଜସ୍ଵ ବାସଭଵନରେ ପରଲୋକ ହୋଇଯାଇଛି । ସେ ଜଣେ ଏକାଧାରରେ ବରିଷ୍ଠ ସାହିତ୍ୟିକ, କବି ତଥା ସଂଗଠକ, ଶିକ୍ଷକ ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ଏହି ଅଞ୍ଚଳରେ ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନର ଶିକ୍ଷକ ମହଲରେ ଏବଂ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ସାହୁ ଜଣେ ଆଦର୍ଶ ଶିକ୍ଷକ ରୂପେ ସୁପରିଚିତ ଥିଲେ । ଦୀର୍ଘ ସମୟକାଳ ଧରି ସେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ବେଶ ଶ୍ରଦ୍ଧାବାନ ହୋଇ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ବେଶ୍ ପରିଚିତ ଥିଲେ ଏବଂ ଶିକ୍ଷକ ମହଲରେ ସର୍ବୋପରି ବିଭିନ୍ନ ସ୍ତରରେ ସେ ଜଣେ ମେଳାପି ଥିଲେ । ସହକାରୀ ଶିକ୍ଷକରୁ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ହୋଇ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ପାତ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଯୋଗଦେଇ ସେଠାରେ ସେ କାର୍ଯ୍ୟରତ ଥାଇ ୨୦୦୪ରେ ସେ ଅବସର ଗ୍ରହଣ କରିଥିଲେ । ଜଣେ ସୁସାହିତ୍ୟିକ ରୂପେ କବିତା ପୁସ୍ତକ, ଉପନ୍ୟାସ ରଚନା କରି ଗଞ୍ଜାମ ଜିଲ୍ଳା ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିଲେ । ଗ୍ରାମର ଯୁବସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ, ଦୈନିକଆଶା ସାହିତ୍ୟ ଆସରର ଅଜୀବନ ସଦସ୍ୟ ଥାଇ ସେ ସାହିତ୍ୟ ସୃଷ୍ଟିରେ ରୁଚି ରଖିଥିଲେ । ତାଙ୍କର ମୃତ୍ୟୁରେ ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ସମ୍ପାଦକ ଗଗନ ବିହାରୀ ସାହୁ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସଂଯୋଜକ କାମରାଜୂ ମହାରଣା, ଉପଦେଷ୍ଟା କୋରା ମହାରଣା, ଗ୍ରାମସଭାପତି ଅମରେଶ୍ୱର ସାହୁ, ସରପଞ୍ଚ ବି. ସୁଦାମ ପ୍ରମୁଖ ଉପସ୍ଥିତ ରହି ତାଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ପତ୍ନୀ ରେଣୁକାଙ୍କୁ ଧୈର୍ଯ୍ୟ ଧରିବା ପାଇଁ ଉପସ୍ଥିତ ନେତ୍ତୃବର୍ଗ ସଭିଁଏ ଯୋଗଦେଇ ଆଶ୍ୱାସନା ସହ ସମବେଦନା ଜଣାଇଛନ୍ତି । ପୁତୁରା ତ୍ରିନାଥ ସାହୁଙ୍କ ସହାୟତାରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଛି । ଯୁବସମାଜ ସେବୀ ଅନଙ୍ଗହୃଦ ମହାରଣା, ଗୁଜାରୀ ତ୍ରିଲୋଚନ, ଅନୀଲ କାନ୍ଥ ମହାରଣା ପ୍ରମୁଖ ତାହାଙ୍କ ଅନ୍ତେଷ୍ଟି କ୍ରିୟାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.