
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗ୍ରାମରେ ଶନିବାର ଠାରୁ ୪୨ତମ ସାର୍ବଜନୀନ କାଳୀପୂଜା ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି । ଏହି ଅବସରରେ ସକାଳେ ଶତାଧିକ ମହିଳା, ପୁରୁଷ ଓ ଯୁବକଙ୍କ ଉପସ୍ଥିତିରେ ଏକ ଭବ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଶୋଭାଯାତ୍ରାରେ ଗ୍ରାମବାସୀ ଅଙ୍ଗନଦୀ କୂଳରେ ପହଞ୍ଚି ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ପୂର୍ଣ୍ଣ କଳସରେ ପବିତ୍ର ଜଳ ଧାରଣ କରି ପୂଜା ମଣ୍ଡପକୁ ଫେରିଥିଲେ । ଏହାପରେ ମଣ୍ଡପରେ ପୂଜାବିଧି ଆରମ୍ଭ ହୋଇଥିଲା । ପୂଜାରେ କର୍ତ୍ତା ଭାବେ ଚନ୍ଦ୍ରଭାନୁ ସାହୁ ଓ ଅନିତା ସାହୁ ଦାୟିତ୍ୱ ତୁଳାଉଥିବା ବେଳେ ମୁଖ୍ୟ ପୂଜକ ଗୋବର୍ଦ୍ଧନ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ପୂଜା ଅବସରରେ ଶନିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମଙ୍ଗଳବାର ଅପରାହ୍ନ ୪ଟାରେ ଆକର୍ଷଣୀୟ ରାବଣପୋଡ଼ି କାର୍ଯ୍ୟକ୍ରମ ସହ ପୂଜା ଉତ୍ସବର ପରିସମାପ୍ତି ଘଟିବ । ଗ୍ରାମର ପ୍ରମୁଖ ପର୍ବ ଭାବେ ପରିଚିତ ଏହି କାଳୀପୂଜାକୁ ନେଇ ସମଗ୍ର ଜାମସେଠ ଗ୍ରାମ ଉତ୍ସବମୁଖର ହୋଇଉଠିଛି । ପୂଜା ଦେଖିବା ପାଇଁ ଆତ୍ମୀୟସ୍ୱଜନ ଓ ଦୂରଦୂରାନ୍ତରୁ ଲୋକଙ୍କ ଆଗମନ ହେଉଥିବାରୁ ଗ୍ରାମରେ ଦୋକାନ ବଜାରରେ ଭିଡ଼ ଜମୁଛି । ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।