pakka

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇ ନେବା ପ୍ରୟାସ ବନ୍ଦ ହେଉ : ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର

bbehera

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ଧରି ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପଶ୍ଚିମ ଓଡିଶା ଜନ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇ ଆସିଛି । ସାହିିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁରରେ ସୃଜନଶୀଳ ଲେଖକ ଓ କଳାକାରଙ୍କୁ ପ୍ରୋତ୍ସାହିତ କରିଆସୁଥିବା ଏହି କେନ୍ଦ୍ରକୁ ଉଠାଇନେବା ପ୍ରୟାସ ବିରୋଧରେ ସ୍ୱର ଉଠାଇଛି ଓଡିଶା ସାମ୍ବାଦିକ ୟୁନିଅନ(ଓୟୁଜେ) । ଏହି ମର୍ମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ଶନିବାର ଦିନ ଏକ ସ୍ମାରକପତ୍ର ପ୍ରଦାନ କରିଛି ଓୟୁଜେ । ରବିବାର ଦିନ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶନିବାର ସଂଧ୍ୟାରେ ଅନୁଷ୍ଠିତ ପଦାଧିକାରୀଙ୍କ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇ ନେବାକୁ ହେଉଥିବା ପ୍ରୟାସକୁ ନାପସନ୍ଦ କରାଯାଇଥିଲା । ପଶ୍ଚିମ ଓଡିଶାର ଭାବାବେଗ ପ୍ରତି ଏଭଳି ଉଦ୍ୟମ ଶକ୍ତ କୁଠାରଘାତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଦଳମତ ନିର୍ବିଶେଷରେ ଏହା ବିରୋଧରେ ପ୍ରକାଶ ପାଇଥିବା ଜନମତ ସହିତ ଓୟୁଜେ ନିଜକୁ ସାମିଲ୍ କରିବା ସହ ଏଭଳି ଉଦ୍ୟମରୁ ଶାନ୍ତ ରହିବା ପାଇଁ ଅନୁରୋଧ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁରଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଦାୟିତ୍ୱରେ ଥିବା ସମ୍ବଲପୁର ପ୍ରକଳ୍ପ ଅଧିକାରୀ ସୁକାନ୍ତ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା । ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର କରିବା ସହିତ ଏହାକୁ ଏକ ସ୍ୱୟଂସମ୍ପୂର୍ଣ୍ଣ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସ୍ମାରକପତ୍ରରେ ଦାବୀ କରାଯାଇଛି । ପ୍ରତିନିଧି ଦଳରେ ଓୟୁଜେ ସଭାପତି ଶ୍ରୀ ମହାନ୍ତିଙ୍କ ସହ ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ସମ୍ବଲପୁର ଜିଲ୍ଲା ସଭାପତି ପ୍ରଭାତ ବେହେରା, ରାଜେଶ ବିଭାର, ରାଜ୍ୟ ଉପସଭାପତି ଉପେନ ସାହୁ ଓ କିଶାନ ରାଉତ, ସମ୍ପାଦକ ଇଂଗିତ ପଣ୍ଡା, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ଜିଲ୍ଲା ଉପସଭାପତି ହେମନ୍ତ ରାଉତ, ରାଜେନ୍ଦ୍ର ନାୟକ, ଶରତ ପ୍ରଧାନ ଓ ଜୟନ୍ତ ଖଡିରତ୍ନ ପ୍ରମୁଖ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.

two − 1 =