ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଶିଶୁ ସୁରକ୍ଷା ସଚେତନତା ରଥର ଉଦ୍‌ଘାଟନ କରିବା ସହିତ ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପରିକ୍ରମା କରିବା ସହିତ ବାଲ୍ୟବିବାହ, ଶିଶୁଶ୍ରମିକ, ଶିଶୁମାନଙ୍କ ଶିକ୍ଷା ଅଧିକାର ଭଳି ସଚେତନତା ସୃଷ୍ଟି କରିବ । ଆୟୋଜିତ ସଭାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିଶୁମାନେ ଦେଶର ଭବିଷ୍ୟତ, ସେମାନଙ୍କ ଅଧିକାରର ସୁରକ୍ଷା ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ବୌଦ୍ଧ ଜିଲାରେ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଠିକ୍ ଭାବରେ ପରିଚାଳନା ହେଉଥିବା ପ୍ରକାଶ କରିବା ସହିତ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସଂମ୍ପୂର୍ଣ୍ଣ ଜିଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା ପାଇଁ ସଂକଳ୍ପ କରିବାକୁ ଆହ୍ୱାନ ଜଣାଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଦିବ୍ୟା ସାସ୍ୱତୀ ଯୋଗଦେଇ କିଶୋର/କିଶୋରୀମାନେ ସଚେତନ ହୋଇ ସାହାସର ସହ ବାଲ୍ୟ ବିବାହକୁ ବିରୋଧ କଲେ ଜିଲାରେ ବାଲ୍ୟ ବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ତଥା ପ୍ରଶିକ୍ଷକ ଭାବରେ ସେଭଦ ଚିଲଡ୍ରେନ ପକ୍ଷରୁ ସନ୍ତୋଷ କୁମାର ସ୍ୱାଇଁ ଯୋଗଦେଇ ଶିଶୁ ଅଧିକାର, ଶିଶୁସୁରକ୍ଷା ଓ ବାଲ୍ୟ ବିବାହର କୁପରିଣତି, ଆଇନଗତ ଦିଗ ଓ ଏହାକୁ ରୋକିବା ପାଇଁ କଣ ନୂତନ ପଦକ୍ଷେପ ନେବା ଆବଶ୍ୟକ ଏ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ ବାଲ୍ୟବିବାହ, ଶିଶୁଶ୍ରମିକ ଓ ଅନ୍ୟାନ୍ୟ ଶିଶୁସୁରକ୍ଷା ପ୍ରସଙ୍ଗରେ ପୋଲିସର ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ ଯୋଗଦେଇ ଜିଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ହେଲେ ବ୍ୟାପକ ସଚେତନତା କରିବା ସହିତ ଏହା ଦ୍ୱାରା ଶିକାର ଶିଶୁଙ୍କୁ ଜୀବନ କୌଶଳ ଶିକ୍ଷାରେ ସାମିଲ କରିବା ପାଇଁ କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆରସିଂ, ବାଲ୍ୟବିବାହ ସଚେତନତା କାର୍ୟ୍ୟକ୍ରମର ସଂଯୋଜିକା ପ୍ରବିଜ୍ଞା ଦାଶ, କଂଟାମାଳ ସି.ଡି.ପି.ଓ, ମହିଳା ପରିଦର୍ଶିକା, ଅଙ୍ଗନୱାଡି କର୍ମୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଭଦ ଚିଲ୍ଡରେନ ସହଯୋଗ କରିଥିବା ବେଳେ ୱାଇ.ସି.ଡିଏ, ଚାଇଲ୍ଡ ଲାଇନ କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ, ସମରସେନ ସିଂହ, ସହଦେବ ନାଏକ, ବସନ୍ତ ଦିଶିରି, ଧନଞ୍ଜୟ ଖମାରୀ, ଚିତ୍ରସେନ ସାହୁ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁଟିଏ କୌଣସି ପରିସ୍ଥିତିରେ ଅସୁରକ୍ଷିତ ମଣିଲେ ଓ ଅସୁବିଧାରେ ଦେଖିଲେ ତୁରନ୍ତ ବିଭାଗିୟ ଅଧିକାରୀଙ୍କୁ ତଥା ଲୋକାଲ ପୋଲିସ୍‌, ଚାଇଲ୍ଡଲାଇନ-୧୦୯୮ କିମ୍ବା ଶିଶୁ ସୁରକ୍ଷା ୟୁନିଟ୍‌କୁ ତୁରନ୍ତ ସୂଚନା ଦେବା ପାଇଁ କାର୍ୟ୍ୟକ୍ରମରେ ମତପ୍ରକାଶ ପାଇଥିଲା । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଦ୍ୱାରା ୪୦ଦିନ ଧରି ରାଜ୍ୟବ୍ୟାପି ଭ୍ରାମ୍ୟମାଣ ସଚେତନତା ରଥ ପରିକ୍ରମା କରୁଥିବା ବେଳେ ଶନିବାର ବୌଦ୍ଧ ଜିଲ୍ଲାରେ ଏହି ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଟାଉନହଲରୁ ରଥ ପରିକ୍ରମା ଆରମ୍ଭ ହୋଇ ଲକ୍ଷ୍ମୀପ୍ରସାଦ ଗ୍ରା.ପ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ବଲାସିଙ୍ଗା, ଶିଶୁ ବିକାଶ ପ୍ରକଲ୍ପ ଅଧିକାରୀଣୀଙ୍କ କାର୍ଯ୍ୟାଳୟ, ରାମକୃଷ୍ଣ ବାଳାଶ୍ରମ ଓ ଆବାସିକ ବିଦ୍ୟାଳୟ ଝାଡାରାଜିଙ୍ଗ ପରିଭ୍ରମଣ କରିଥିବା ବେଳେ ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀମାନେ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.

19 − five =

error: Content is protected !!