
ଭୁବନେଶ୍ୱର, (ରାଜ କିଶୋର ତ୍ରିପାଠୀ) : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି ପକ୍ଷରୁ ଆୟୋଜିତ ‘ନେସନ ବିଲ୍ଡର ଆୱାର୍ଡ’ ସମାରୋହରେ ସମ୍ମାନିତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ଏବଂ ବୁରୋମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ସାହୁ । ତାଙ୍କ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତ, କତ୍ତବ୍ୟବୋଧ ତଥା ନୂତନ ଅନୁଧ୍ୟାନ ପାଇଁ ଉଭୟେ ସମ୍ମାନୀତ ଓ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସରକାରୀ ବେସରକାରୀ ଅନୁଷ୍ଠାନରୁ ପ୍ରାୟ ୫୧ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ତାଙ୍କର ନିଷ୍ଠାପର ସେବାକୁ ସ୍ୱୀକୃତି ଦେଇ ରୋଟାରୀ କ୍ଲବ ପକ୍ଷରୁ ସମସ୍ତଙ୍କୁ ଉତ୍ତରୀୟ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହି ଶିକ୍ଷକ ହେଉଛନ୍ତି ଜାତିର ନିର୍ମାତା ବୋଲି ମତ ପ୍ରକାଶ କରିଥିଲେ । ଶିକ୍ଷକଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।