ସଡକ ଦୁର୍ଘଟଣା ରୋକିବା ନିମନ୍ତେ ବ୍ରହ୍ମପୁରଠାରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

• ରାସ୍ତାର ପାରିପାର୍ଶ୍ବିକ ସ୍ଥିତିର ସୁଧାର ଅଣାଯିବ । ଜନସଚେତନତା ମାଧ୍ୟମରେ ଦୁର୍ଘଟଣାକୁ ଏଡାଯାଇ ପାରିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍‌ଠାରେ ସଡ଼କ ସୁରକ୍ଷା ସମ୍ବଳିତ ଏକ ରାଜ୍ୟସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ୍ ବିଭାଗ ଓ ପରିବହନ ବିଭାଗର ଅଧିକାରୀମାନଙ୍କୁ ‘ଦୁର୍ଘଟଣା ପରବର୍ତ୍ତି ତଦନ୍ତ ପ୍ରଶିକ୍ଷଣ’ ପ୍ରଦାନ କରାଯାଇଛି । ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇ.ଜି. ଅଫ୍ ପୋଲିସ୍ ସତ୍ୟବ୍ରତ ଭୋଇ, ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ. କୀର୍ତ୍ତି ଓ୍ବାସନ୍ ଯୋଗଦାନ କରି ନିଜନିଜ ବକ୍ତବ୍ୟରେ ପ୍ରଶିକ୍ଷଣର ନିର୍ଯ୍ୟାସକୁ ଆଧାର କରି କାର୍ଯ୍ୟର ସୁପରିଚାଳନା ହୋଇପାରିଲେ ଦୁର୍ଘଟଣା ରୋକିବା ସହ ଜନଜୀବନ ସୁରକ୍ଷିତ ରହିବ ବୋଲି ମତ ଦେଇଥିଲେ ।

ପରିବହନ ବିଭାଗର ବହୁ ସଂଖ୍ୟକ ଦୁର୍ଘଟଣା ଏବଂ ସାଂଘାତିକ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଡକ ସୁରକ୍ଷା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଓଡିଶା ସରକାର ଅନେକ ଗୁଡିଏ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସଡକପଥ ମାନଙ୍କରେ ଘଟୁଥିବା ଦୁର୍ଘଟଣାର ପୁନରାବୃତ୍ତି ରୋକିବା ସକାଶେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜରୁରୀ ହୋଇପଡିଛି । ଗୁରୁବାର ଅନୁଷ୍ଠିତ ପ୍ରଶିକ୍ଷଣରେ ପୋଲିସ୍ ବିଭାଗ ଏବଂ ପରିବହନ ବିଭାଗର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସମସ୍ତ ସମ୍ଭାବ୍ୟ ଦିଗକୁ ଅନ୍ତର୍ଭୁକ୍ତ କରି ସଡକ ଦୁର୍ଘଟଣାର ସଠିକ୍ ଅନୁସନ୍ଧାନ ପାଇଁ କ୍ଷମତା ବୃଦ୍ଧି କରିବା ଉପରେ ଆଲୋଚିତ ହୋଇଛି । ଏହି ପ୍ରକାର ଅନୁସନ୍ଧାନ ପ୍ରାମାଣିକ ତଥ୍ୟ ପ୍ରଦାନ କରିବା ସହିତ ସଡକ ଦୁର୍ଘଟଣାକୁ ହ୍ରାସ ପାଇଁ ନିଜନିଜ ସ୍ତରରେ ଅନୁସନ୍ଧାନକୁ ସହଜ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

ମୁଖ୍ୟଅତିଥି ଆଇ.ଜି. ଅଫ ପୋଲିସ୍ ସତ୍ୟବ୍ରତ ଭୋଇ ଜଣାଇଥିଲେ ଯେ, ସଡକ ଦୁର୍ଘଟଣାକୁ ରୋକିବା ଦିଗରେ ସଚେତନତା ହିଁ ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି । ଦୁର୍ଘଟଣା ପରେ କରାଯାଇଥିବା ଅନୁସନ୍ଧାନ ଗୁଡିକ ତରବରିଆ ଭାବେ ନ କରି ସମୟ ସାପେକ୍ଷ ଅନୁସନ୍ଧାନ କରାଯିବା ଆବଶ୍ୟକ, ଦୁର୍ଘଟଣା ଅଞ୍ଚଳର ସ୍ଥିତି, ରାସ୍ତାର ଅବସ୍ଥା, ପରିସ୍ଥିତି, ରାସ୍ତାରେ ଆଲୁଅ ବ୍ୟବସ୍ଥା, ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ ପରିସର ଭୁକ୍ତ ହେବା ଆବଶ୍ୟକ । ଯାହାରି ଫଳରେ ସେହି ଅଞ୍ଚଳର ଦୁର୍ଘଟଣା ଯେପରି ପୁନରାବୃତ୍ତି ହେବ ନାହିଁ ତାହାର ସମସ୍ତ ବ୍ୟବସ୍ଥା କରିବା ଜରୁରୀ ବୋଲି କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସ୍ୱଳ୍ପ ପ୍ରଶିକ୍ଷଣରେ ଯାନ ବାହନ ଚଳାଇବା ଉଚିତ୍ ନୁହେଁ ଏବଂ ଯାନବାହନ ଚଳାଇବା ଦିଗରେ ପ୍ରତ୍ୟେକ ସଚେତନ ରହିବା ଜରୁରୀ ଅଟେ । ଗାଡ଼ି ଚାଳକ ମଦ୍ୟପାନ କରି ଗାଡ଼ି ଚଳାଇବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ । ଦୁର୍ଘଟଣା ଘଟିବା ପରେ ଯେଉଁମାନଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଉଛି ସେମାନେ ତଦନ୍ତର ସମସ୍ତ ଦିଗପ୍ରତି ସଜାଗ ରହି ସଠିକ୍ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ପ୍ରଶିକ୍ଷଣ ହାସଲ କରିବା ଅପରିହାର୍ଯ୍ୟ । ସମସ୍ତ ଚାଳକ ଖାମଖିଆଲ ଭାବରେ ଚଳାଇବା ଅନୁଚିତ । ଶାନ୍ତ ମନରେ, ବ୍ୟସ୍ତ ନହୋଇ ସଡକ ନିୟମର ସଠିକ୍ ଅନୁପାଳନ କରି ନିଜ ଯାନ ଚଳାଇବେ । ତେବେ ଯାଇ ନିଜ ଜୀବନ ସୁରକ୍ଷିତ ରହିବା ସହିତ ଅନ୍ୟର ଜୀବନକୁ ମଧ୍ୟ ସୁରକ୍ଷିତ ରଖିପାରିବେ ବୋଲି କୁହାଯାଇଛି । ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ. କୀର୍ତ୍ତି ଓ୍ବାସନ୍ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ଦକ୍ଷତା ବୃଦ୍ଧି ହୋଇପାରିଲେ ସଠିକ୍ ତଦନ୍ତ ହେବା ସହ ସଡକ ଦୁର୍ଘଟଣା ଦିଗରେ ଆନୁସଙ୍ଗୀକ ସ୍ଥିତି ଗୁଡିକର ପୁନରୁଦ୍ଧାର ହୋଇପାରିବ ଯଦ୍ୱାରା ଦୁର୍ଘଟଣା ରୋକିବା ସମ୍ଭବ ହେବ ବୋଲି ମତ ପୋଷଣ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାଟିରେ ମୁସ୍କାନ ସଂସ୍ଥାର ପ୍ରଶିକ୍ଷକଗଣ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିବହନ ବିଭାଗୀୟ ଦକ୍ଷିଣାଞ୍ଚଳ ଡେପୁଟୀ କମିଶନର ଲାଲ୍ ମୋହନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ନାଳନ୍ଦା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.