jayashree

ଓଏଭି ମହିମୁଣ୍ଡାରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଶିବିର

  • “କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ ଓ ସାଇବର ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି), ମହିମୁଣ୍ଡାଠାରେ କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ ଓ ସାଇବର ସୁରକ୍ଷା ସମ୍ପର୍କିତ ଏକ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍) ତଥା ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ୍)ର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଖଟୁଆ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଇବା ସହ ଏହାର ବ୍ୟବହାରିକ ଦିଗ ସହ ପରିଚିତ କରାଇବା ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ପ୍ରଶିକ୍ଷକ ଭାବେ ଓକେସିଏଲ୍, ଭୁବନେଶ୍ୱର ପକ୍ଷରୁ ସାର୍ଥକ ମୁଣ୍ଡ, ରମଣ ସାହୁ ଓ ପ୍ରଦୀପ ବଘାର ଯୋଗଦେଇଥିଲେ । ସେମାନେ ରୋବୋଟ୍‌ର କାର୍ଯ୍ୟପ୍ରଣାଳୀ ପ୍ରଦର୍ଶନ କରିବା ସହ କମ ଖର୍ଚ୍ଚରେ ବିଭିନ୍ନ ଯନ୍ତ୍ରପାତିର ସହାୟତାରେ ରୋବୋଟ୍ ନିର୍ମାଣର ପ୍ରକ୍ରିୟା ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏଥିସହ କୃତ୍ରିମ ବୁଦ୍ଧିମତା କିପରି କାର୍ଯ୍ୟ କରେ, ଏହାର ବ୍ୟବହାର କେଉଁ କେଉଁ କ୍ଷେତ୍ରରେ ହୋଇପାରେ, ଯନ୍ତ୍ର ସଂଯୋଗ ପ୍ରଯୁକ୍ତିର ଉପଯୋଗିତା ଏବଂ ସାଇବର ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହର ସହ ଅଂଶଗ୍ରହଣ କରି ଆଧୁନିକ ପ୍ରଯୁକ୍ତିର ବିଭିନ୍ନ ଦିଗ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ଶିବିର ପରିଚାଳନାରେ ଓକେସିଏଲ୍ ଜିଲ୍ଲା ସଂଯୋଜକ ସଂଜୀବ କୁମାର ପ୍ରଧାନ ଓ ରମାକାନ୍ତ ବିଶ୍ୱାଳ ସହଯୋଗ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଶିବିରର ସଫଳ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.