
ଶିମିଳିପାଳ ଅଭୟାରଣ୍ୟର ପ୍ରବେଶ ପଥ ପୀଠାବଟାଠାରେ ପର୍ଯ୍ୟଟକଙ୍କ ସୁବିଧା ତଥା ସ୍ଥାନୀୟ ଆଦିବାସୀ ମହିଳାମାନଙ୍କ ଆର୍ଥିକ ବିକାଶ ଲକ୍ଷ୍ୟରେ ‘ଶିମିଳି କାଫେ’ର ଶୁଭାରମ୍ଭ
ବାରିପଦା, (ଦେବସ୍ମିତ ଚୌଧୁରୀ) : ଶିମିଳିପାଳ ଅଭୟାରଣ୍ୟର ପ୍ରବେଶ ପଥ ପୀଠାବଟାଠାରେ ପର୍ଯ୍ୟଟକଙ୍କ ସୁବିଧା ତଥା ସ୍ଥାନୀୟ ଆଦିବାସୀ ମହିଳାମାନଙ୍କ ଆର୍ଥିକ ବିକାଶ ଲକ୍ଷ୍ୟରେ ‘ଶିମିଳି କାଫେ’ର ଶୁଭାରମ୍ଭ ହୋଇଯାଇଛି । ୭୨ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ, ଭୁବନେଶ୍ୱରରୁ ଭର୍ଚ୍ଚୁଆଲ ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଥିବା ବେଳେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ‘ଆମ ଶିମିଳିପାଳ’ ଯୋଜନା ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଆନୁକୂଲ୍ୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ବଜେଟ୍ରେ ନିର୍ମିତ ଏହି କାଫେଟି ଏକ ସମ୍ପୂର୍ଣ୍ଣ କମ୍ୟୁନିଟି-ବେସ୍ଡ୍ ମ୍ୟାନେଜମେଣ୍ଟ ମଡେଲରେ ପରିଚାଳିତ ହେବ । ଏଠାରେ ସ୍ଥାନୀୟ ଜନଜାତି ମହିଳାମାନଙ୍କୁ ରନ୍ଧନ ଓ ଆତିଥ୍ୟ ସେବା କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଇ ସ୍ୱାବଲମ୍ବୀ କରାଯାଉଛି । ଯାହାଦ୍ୱାରା ଜଙ୍ଗଲ ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ ପାଇବା ସହ ଜୀବିକାରେ ଉନ୍ନତି ଆସିବ। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି କାଫେରେ ବିଶ୍ରାମ, ଶୌଚାଳୟ ତଥା ମୟୂରଭଞ୍ଜର ପାରମ୍ପରିକ ଖାଦ୍ୟପେୟର ସୁବ୍ୟବସ୍ଥା ରହିଛି । ଏହା ସହିତ ଶିମିଳିପାଳ ଜଙ୍ଗଲରୁ ସଂଗୃହୀତ ମହୁ, ଝୁଣା, ପାଳୁଅ ଭଳି ବନଜାତ ଦ୍ରବ୍ୟଗୁଡ଼ିକର ଉତ୍ତମ ବ୍ରାଣ୍ଡିଂ ଓ ପ୍ୟାକେଜିଂ କରି ଏହି କାଫେ ମାଧ୍ୟମରେ ବିକ୍ରୟ କରାଯିବାର ଯୋଜନା ରହିଛି, ଯାହାକି ସ୍ଥାନୀୟ ଆଦିବାସୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବାରେ ଏକ ବଳିଷ୍ଠ ପଦକ୍ଷେପ ହେବ ।