ଟେଲି ଫିଲ୍ମ ‘ନଦୀର୍ ପାଏନ୍ ନଏଦକେ ଯା’ର ଶୁଭ ମୁହରତ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ଆଲତି ସାଂସ୍କୃତିକ ସଂଘ ପକ୍ଷରୁ ଟେଲି ଫିଲ୍ମ ‘ନଦୀର୍ ପାଏନ୍ ନଏଦକେ ଯା”ର ଶୁଭ ମୁହରତ୍ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବୁଡାପାଲି ଶୈବପୀଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ନିକଟସ୍ଥ ବାବା ଡୁଙ୍ଗୁରୀରୁ ସୁଟିଂ ଆରମ୍ଭ ହୋଇଥିଲା । ନାଟ୍ୟକାର ରାଜେଶ କୁମାର କାରିଆ ଏହାର କାହାଣୀ ଓ ସଂଳାପ ରଚନା କରିଥିବାବେଳେ ରାଜେଶ୍ୱର ବେହେରା ଚିତ୍ରନାଟ୍ୟ ଦେଇଥିଲେ । ବିଶିଷ୍ଟ କ୍ୟାମେରାମେନ ଜିତେନ୍ଦ୍ରିୟ ମେହେରଙ୍କ ତତ୍ତ୍ବାବଧାନରେ ଦେବାଶିଷ ମେହେର, ତୁଳସୀ ନାଏକ, ପ୍ରଶାନ୍ତ ଚିରଗୁଣ ଚିତ୍ର ଉତ୍ତୋଳନ କରିଥିଲେ । ଚିତ୍ରସେନ ମେହେର ନିର୍ଦ୍ଦେଶନା ଦେଇଥିବାବେଳେ କୋରିଓଗ୍ରାଫର ଭାବେ ଯୋଗ ଦେଇଥିଲେ ନୃତ୍ୟ ନିର୍ଦ୍ଦେଶକ ମନୋଜ କୁମାର ପାଣ୍ଡେ । କଣ୍ଠଶିଳ୍ପୀ ସୁଷମା ଭୋଇ କଣ୍ଠ ଦାନ କରିଥିବା ବେଳେ ଘନଶ୍ୟାମ ମେହେର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପାଣି ମଣିଷର ଏକ ଅତ୍ୟାବଶ୍ୟକ ସାମଗ୍ରୀ । ଏହା ବିନା ଜୀବନ ଧାରଣ ଅସମ୍ଭବ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସଭିଏଁ ଏକଥା ମର୍ମେ ମର୍ମେ ଅନୁଭବ କରୁଛନ୍ତି । ହେଲେ କ୍ରମଶଃ ନଦୀ ଓ ଭୂତଳ ଜଳ ବିଭିନ୍ନ ଭାବରେ ପ୍ରଦୂଷିତ ହେବାକୁ ଲାଗିଛି । ଏ ଦିଗରେ ସଭିଏଁ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ପ୍ରଦୂଷିତ ପାଣି ବ୍ୟବହାର କରି ନାନାଦି ରୋଗ ସୃଷ୍ଟି ହେବା ସହ ଜଳ ସମସ୍ୟା ଦେଖା ଦେବ । ଏପରି ଦିନ ଆସିବ ଯେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକମାନେ ସରକାରଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ । ଜଳ ପ୍ରଦୂଷଣ ରୋକିବାକୁ ଏଥରେ ବଳିଷ୍ଠ ବାର୍ତ୍ତା ନିହିତ ରହିଛି ବୋଲି ନାଟ୍ୟକାର ରାଜେଶ କୁମାର କାରିଆ କହିଛନ୍ତି । ବିଜେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବାର ଯୋଜନା ରହିଛି । ତରଣୀସେନ ସାହୁ, ଜିତେନ୍ଦ୍ରିୟ ମେହେର, ନରେଶ ତରିଆ, ଭରତ ସାହୁ, ଭାଗବତ ପଧାନ, ନେତ୍ରାନନ୍ଦ ମେହେର, ନୀଳମଣି ମେହେର, ରାଜେଶ୍ୱର ବେହେରା,ଭାଗବତିଆ ବରିହା, ହେମରେଣୁ ମେହେର, ସ୍ୱରୂପ ମେହେର,ସୁଜିତ ରଣା ସମେତ ଆଞ୍ଚଳିକ କଳାକାରଗଣ ଏଥିରେ ଅଭିନୟ କରିଥିଲେ। ସୁଟିଂ କାର୍ୟ୍ୟକ୍ରମ ପୁରା ଦମରେ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଏହା ମୁକ୍ତି ଲାଭ କରିବ ବୋଲି ସଂପ୍ରୁକ୍ତ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.