ଅଏଁଲାସାରି ହିଂସା ପୀଡ଼ିତଙ୍କ ଧାରଣା : ତୁରନ୍ତ ରିଲିଫ ଓ ଅଭିଯୁକ୍ତଙ୍କ ଗରିଫ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଏଁଲାସାରି ହିଂସା ଘଟଣାରେ ଆକ୍ରମଣର ଶିକାର ହୋଇ ଘର ଦ୍ୱାର ହରାଇଥିବା ତଥା ଭୋକ ଉପବାସରେ ଦିନ କାଟୁଥିବା ଦଳିତ ପରିବାରମାନେ ନ୍ୟାୟ ପ୍ରଦାନ ଦାବୀରେ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଛନ୍ତି । ଉକ୍ତ ଘଟଣାରେ ପୀଡ଼ିତ ପରିବାରମାନଙ୍କୁ ତୁରନ୍ତ ଏକ ଲକ୍ଷ ଟଙ୍କା ଲେଖାଏଁ ରିଲିଫ୍‌ ଦିଆଯିବା ସହ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବୀ କରିଛନ୍ତି । ତେବେ ଏସବୁ ଦାବୀ ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବହଲପଦର ପଂଚାୟତ ଅନ୍ତର୍ଗତ ଅଏଁଲାସାରି ଗାଁରେ ଗତ ମାସ ୨୬ ତାରିଖରେ ଗ୍ରାମବାସୀ ଓ ଦଳିତଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଦଳିତ ପରିବାରମାନଙ୍କ ଘର ଦ୍ୱାରା ଭାଙ୍ଗି ଦିଆଯିବା ସହିତ ସେମାନଙ୍କ ଘରେ ଥିବା ଆସବାପତ୍ର ନଷ୍ଟ କରି ଦିଆଯାଇଥିଲା । କେତେକ ସାଇକଲ ଓ ମୋଟର ସାଇକଲକୁ ମଧ୍ୟ ଭାଙ୍ଗି ଦିଆ ଯାଇଥିଲା । ଘଟଣା ପରେ ଉଭୟ ପକ୍ଷର କେତେକ ଲୋକଙ୍କ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା । ଏହା ସହିତ ସଦର ଏସଡିପିଓ ଓ ଉପଜିଲ୍ଲାପାଳ ସମ୍ପୃକ୍ତ ଗାଁକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିଲେ । କିନ୍ତୁ ଆଜି ପର୍ୟ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବାସନକୁସନ ସବୁ ଭାଙ୍ଗି ଦିଆଯାଇ ଥିବାରୁ ରୋଷେଇ କରିବା କଷ୍ଟକର ହୋଇ ପଡିଛି । ସାଇକଲ ସବୁ ଭାଙ୍ଗି ଦେଇଥିବାରୁ ଲୋକମାନେ କାମ କରିବା ପାଇଁ ଗାଁରୁ ସହରକୁ ଆସି ପାରୁନାହାନ୍ତି । ଏହା ସହିତ ଘଟଣାରେ ସମ୍ପୃକ୍ତ ଥିବା ଆହୁରି ୩୯ ଜଣ ଅଭିଯୁକ୍ତଙ୍କୁ ପୁଲିସ ଏ ପର୍ୟ୍ୟନ୍ତ ଗିରଫ କରିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ସମ୍ପୁର୍ଣ୍ଣ କ୍ଷତିପୂରଣ ପ୍ରଦାନ କରିବା ପୂର୍ବରୁ ବର୍ତ୍ତମାନ ପରିବାର ଚଳିବା ପାଇଁ ଅନ୍ତତଃ ଯୁଦ୍ଧକାଳୀନ ଭିତ୍ତିରେ ଏକ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ପୀଡ଼ିତମାନେ ଦାବୀ କରିଛନ୍ତି । ଆନ୍ଦୋଳନକାରୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, ଆଜି ଧାରଣା ଦେବା ପାଇଁ ଗାଁରୁ ଜିଲ୍ଲାପାଳ କାର୍ୟ୍ୟାଳୟକୁ ଆସୁଥିବା ବେଳେ ରାସ୍ତାରେ ପୋଲିସ ଲୋକଙ୍କୁ ଅଟକାଇ ଦେଇଥିଲା । ସେମାନେ ଆସୁଥିବା ଗାଡିକୁ ଜବତ କରିନେବା ପାଇଁ ଧମକ ଦେଇଥିଲା । ଏଭଳି କି ଧାରଣା ଦେବା ପାଇଁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଟଣା ଯାଇଥିବା ଟେଣ୍ଟକୁ ପୁଲିସ ନେଇଯାଇଛି ବୋଲି ମଧ୍ୟ ଲୋକମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.