om academy

୧୭ରେ ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ : ମା’ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜାରମ୍ଭ ହେବ

jsm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତା ୧୭ ତାରିଖ ଶନିବାର ମୂଳାଷ୍ଟମୀ । ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ । ଶୁଭାରମ୍ଭ ହେବ ଶାରଦୀୟ ପୂଜାର୍ଚ୍ଚନା । ଉକ୍ତ ଦିବସରୁ ମା’ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ଅକ୍ଟୋବର ୧ ତାରିଖ ଶନିବାର ମହାସପ୍ତମୀ, ରବିବାର ମହାଷ୍ଟମୀ ଓ ସୋମବାର ମହାନବମୀର ସ୍ୱତନ୍ତ୍ର ପୂଜା ହେବ । ୫ ତାରିଖ ବୁଧବାର ଦଶହରା ଓ ଆୟୁଧ ପୂଜା ଅନୁଷ୍ଠିତ ହେବ । ଏହି ଅବସରରେ ବଡ଼ଦେଉଳରେ ଦୁର୍ଗାମାଧବ ଉପାସନା କରାଯିବ । ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଉପାସନାର ବିଧି ପ୍ରଚଳନ ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ଠାକୁରାଣୀଙ୍କ ଷୋଳପୂଜା କରାଯାଏ । ଶାରଦୀୟ ପୂଜା ଅବସରରେ ବଡ଼ଦେଉଳରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ରତ୍ନଭଣ୍ଡାରରୁ ମା’ ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା ଆସି ସିଂହାସନରେ ବିଜେ ହେବେ । ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ମା’ ଦୁର୍ଗାଙ୍କୁ ଲାଗି କରାଯିବ । ମା’ ଦୁର୍ଗା ମାଜଣା ମଣ୍ଡପକୁ ବିଜେ ହୋଇ ଠାକୁରାଣୀଙ୍କ କୁମ୍ଭାଭିଷେକ ହେବ । ପଞ୍ଚୋପଚାରରେ ପୂଜା ସରିବ । ମାଧବଙ୍କ ପ୍ରତିମୂର୍ତ୍ତିଙ୍କୁ ବିଜେ କରାଯାଇ ଦୁର୍ଗାଙ୍କ ସହିତ ରୁନ୍ଧା ହୋଇ ଏକତ୍ର ଇନ୍ଦ୍ର ଆସନରେ ବିଜେ ହେବେ ।

Leave A Reply

Your email address will not be published.