ଉତ୍ତରପ୍ରଦେଶ, (କେପିଏନ୍ଏସ୍) : ଉତ୍ତରପ୍ରଦେଶର ମିରଟ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଜଣେ ପତ୍ନୀ ଏବଂ ତାଙ୍କ ପ୍ରେମିକ ମିଶି ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର । ଅଭିଯୋଗ ଅନୁସାରେ, ପ୍ରଥମେ ସ୍ୱାମୀଙ୍କ କ୍ଷୀରରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଅଚେତ କରାଯାଇଥିଲା । ଏହାପରେ ତାଙ୍କ ଶରୀର ଉପରକୁ ଏକ ବିଷଧର ସାପ ଛାଡ଼ି ଦିଆଯାଇଥିଲା । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ସ୍ୱାମୀଙ୍କ ମୃତ୍ୟୁକୁ ସାଧାରଣ ସାପ କାମୁଡ଼ା ଘଟଣା ବୋଲି ଦେଖାଇବାକୁ ଅଭିଯୁକ୍ତମାନେ ଯୋଜନା କରିଥିଲେ । କିନ୍ତୁ ତଦନ୍ତ ଆଗକୁ ବଢ଼ିବା ସହିତ ଘଟଣାର ଚମକପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିଥିଲା ।ପୋଲିସ କହିଛି ଯେ, ପ୍ରାୟ ୨୦ ଲକ୍ଷ ଟଙ୍କାର ବୀମା ରାଶି ହାସଲ କରିବା ଏବଂ ଅବୈଧ ପ୍ରେମ ସମ୍ପର୍କରେ ବାଧକ ହୋଇଥିବା ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଏହି ହତ୍ୟାକାଣ୍ଡ ଘଟାଯାଇଥିଲା । ଏହି ଘଟଣାରେ ପୋଲିସ ମୃତକଙ୍କ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି । ହସ୍ତିନାପୁର ଅଞ୍ଚଳରେ ମୃତକ ନିଜ ପତ୍ନୀଙ୍କ ସହ ମିଶି ଏକ ପ୍ଲେ ସ୍କୁଲ ଚଳାଉଥିବା ଜଣାପଡ଼ିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ପ୍ରେମ ଓ ଲୋଭ ପାଇଁ ଜଣେ ପତ୍ନୀ ଏପରି ନୃଶଂସ ପଦକ୍ଷେପ ନେଇଥିବା ଅଭିଯୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
