ବଲାଙ୍ଗିର, (କେପିଏନ୍ଏସ୍) : ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିରର ଲୋୟର ସୁକତେଲ ଡ୍ୟାମରେ ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ପ୍ରଶାସନ ବୁଡ଼ି ଅଞ୍ଚଳରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛି । ତେବେ କ୍ଷତିପୂରଣ ଓ ପୁନର୍ବାସକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲୋୟର ସୁକତେଲ ଜଳଭଣ୍ଡାରରେ ପାଣି ବଢ଼ିବା ସହ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଅଂଶ ସ୍ୱରୂପ ବୁଡ଼ି ଅଞ୍ଚଳର ଖୁଣ୍ଟପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଅନେକ ପରିବାର ଅଭିଯୋଗ କରିଛନ୍ତି ଯେ, ସେମାନେ ଏପର୍ଯ୍ୟନ୍ତ ଉଚିତ କ୍ଷତିପୂରଣ ପାଇନାହାନ୍ତି ଏବଂ ପୁନର୍ବାସ ବ୍ୟବସ୍ଥା ମଧ୍ୟ ସନ୍ତୋଷଜନକ ନୁହେଁ । ହଠାତ୍ ଗାଁ ଛାଡ଼ିବାକୁ କୁହାଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଉପସ୍ଥିତିରେ ବିସ୍ଥାପନ ଓ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ସମଗ୍ର ଘଟଣା ଉପରେ ପ୍ରଶାସନର କଡ଼ା ନଜର ରହିଥିବା ବେଳେ ଗ୍ରାମବାସୀ ନ୍ୟାୟସଙ୍ଗତ କ୍ଷତିପୂରଣ ଓ ସ୍ଥାୟୀ ପୁନର୍ବାସ ଦାବି କରିଛନ୍ତି ।
