
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକର କେନ୍ଦୁମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଗାଁର ଅର୍ଜୁନ ବନଗୁଲାଙ୍କ ମୃତ୍ୟୁ ପରେ ତାଙ୍କର ମୃତଦେହ ପ୍ରାୟ ୧୦ ଘଣ୍ଟା ଧରି ଘରେ ପଡ଼ି ରହିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୂଚନା ଅନୁଯାୟୀ, ଅର୍ଜୁନ ଅନ୍ୟ ଜାତିରେ ବିବାହ କରିଥିବାରୁ ପରିବାର ସଦସ୍ୟ, ଜାତିଭାଇ କିମ୍ବା ଗାଁର କେହି ମଧ୍ୟ ତାଙ୍କୁ ଶେଷ ବିଦାୟ ଦେବାକୁ କିମ୍ବା ଶବ ସତ୍କାରରେ ସାମିଲ ହୋଇନଥିବା ଅଭିଯୋଗ ରହିଛି। ଏହି ଘଟଣା ଅଞ୍ଚଳରେ ମାନବିକତା ଓ ସାମାଜିକ ସଚେତନତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ଖବର ପାଇ ସମାଜସେବୀ ଜନସନ ନାଗ, ପ୍ରବୀଣ ପୁରୋହିତ, ଗିରିରାଜ ଭୋଇ, ଓକିଲ ରାଣା ପ୍ରଧାନ ଏବଂ ଦିଲୀପ କୁମୁରା ତୁରନ୍ତ ଗାଁରେ ପହଞ୍ଚିଥିଲେ। ସେମାନେ ମୃତଦେହକୁ ଚାରି କାନ୍ଧ ଦେଇ ପ୍ରାୟ ଦୁଇ କିଲୋମିଟର ଦୂର ରିଜର୍ଭ ଜଙ୍ଗଲ ଅଞ୍ଚଳକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏହି ଘଟଣା ପୁଣିଥରେ ସମାଜରେ ଜାତିଭେଦ ଓ ମାନବିକ ମୂଲ୍ୟବୋଧକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ଘଟଣାର ପ୍ରକୃତ ପରିସ୍ଥିତି ଓ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ପକ୍ଷ ଓ ପ୍ରଶାସନର ପ୍ରତିକ୍ରିୟା ଆସିବା ବାକି ରହିଛି।
