ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ କାଇଁଚପୁର ଗ୍ରାମରୁ ଜୁଆଡ଼ିଙ୍କୁ ଧରିବାରେ ଗଞ୍ଜାମ ଥାନା ଅଧିକାରିଣୀଙ୍କୁ ମିଳିଛି ବଡ଼ ସଫଳତା । ଏହି ଥାନାରେ ପ୍ରଥମ ଥର ଲାଗି ନିଯୁକ୍ତ ହୋଇଥିବା ଜଣେ ଦକ୍ଷ ମହିଳା ଥାନା ଆଇଆଇସି ସୁମିତ୍ରା ପାତ୍ର ଦାୟିତ୍ୱ ଗ୍ରହଣ କରିବା ଠାରୁ ଥାନା ଅଧିକାରୀ ପ୍ରଥମରୁ ଆକ୍ସନ ମୁଡ଼ରେ ଥିବା ଦେଖିବାକୁ ମିଳିଛି । ପ୍ରଥମେ ଆକ୍ସନ ନେଇ ଜୁଆ ଆଡ୍ଡାରେ ଚଢ଼ାଉ କରିଛନ୍ତି । ଆଇଆଇସି ସୁମିତ୍ରା ପାତ୍ରଙ୍କ ନେତୃତ୍ୱରେ ବଡ଼ କାଇଁଚପୁର ଗ୍ରାମ ଶେଷରେ ବହୁ ବର୍ଷ ଧରି ଚାଲିଥିବା ଜୁଆ ଆଡ୍ଡାରେ ସୋମବାର ଚଢ଼ାଉ କରାଯାଇଛି । ଉକ୍ତ ଜୁଆଆଡ୍ଡାରୁ ୧୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଚାରୋଟି ବାଇକ, ୧୦ଟି ଦାମୀ ମୋବାଇଲ ଫୋନ ଏବଂ ୭୭ ହଜାର ଟଙ୍କା ଜବତ କରାଯାଇଥିବା ଗଞ୍ଜାମ ଥାନା ଅଧିକାରୀ ଶ୍ରୀମତୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସାନ କାଇଁଚପୁର ଓ ବଡ଼ କଇଁଚପୁର ମଝିରେ ଏକ ଶୀତତାପ ନିୟନ୍ତ୍ରଣ କୋଠରୀରେ ଦୀର୍ଘ ବର୍ଷ ହେବ ଜୁଆ ଆଡ୍ଡା ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଥାନା ପୋଲିସ ଚଢ଼ାଉ କରି ସଫଳତା ହାସଲ କରିଥିବା ବେଳେ ନୂତନ ଆଇଆଇସିଙ୍କ ଏହିଭଳି କାର୍ଯ୍ୟଶୈଳୀକୁ ସହର ତଥା ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି । ଚଢ଼ାଉ ବେଳେ ଥାନା ଏଏସ୍ଆଇ ରାଓଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।