କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ପରିବାର ପାଇଲେ ସରକାରୀ ସୁବିଧା

କଳାହାଣ୍ଡି, (ପି.କେ. ସାହୁ) : କରୋନା ମହାମାରୀ ଅନେକ ପରିବାର ଉଜାଡି ଦେଇଥିବା ବେଳେ ଅନେକ ପିଲା ପିତା ମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ଏଥିରୁ କଳାହାଣ୍ଡି ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ । କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୂଖିଗୁଡା ପଞ୍ଚାୟତ ମୂଖିଗୁଡା ଅଞ୍ଚଳରେ ଏନ୍‌ ଶ୍ରୀନିବାସ ରେଡି ନାମକ ବ୍ୟକ୍ତି ତାଙ୍କର ପରିବାରକୁ ନେଇ ରହିଆସୁଥିଲେ । କିନ୍ତୁ ତାଙ୍କର କରୋନାରେ କିଛିଦିନ ତଳେ ଦେହାନ୍ତ ହୋଇଥିଲା । ସୂଚନା ଅନୁସାରେ ତାଙ୍କ ପରିବାରରେ ସ୍ତ୍ରୀ ଏନ୍‌ ଝରଣା ରେଡ୍ଡି ପୁଅ ଏନ୍‌ ଲୋକାନାଥ ରେଡ୍ଡି ଝିଅ ଏନ୍‌ ଦିବ୍ୟା ରେଡ୍ଡିଙ୍କୁ ନେଇ ତାଙ୍କର ପରିବାର ଥିଲା । ତାଙ୍କର କରୋନାରେ ଦେହାନ୍ତ ପରେ ସେମାନେ ବହୁତ ଅସୁବିଧାରେ ରହୁଥିଲେ । ଏହି ଖବର କୌଣସି ସୂତ୍ରରୁ ଜାଣିପାରି ସମାଜସେବୀ ଯଶୋବନ୍ତ ରଣା କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣେଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇଲା ପରେ ମୂଖିଗୁଡା ପଞ୍ଚାୟତ ପକ୍ଷରୁ ଏହି ପରିବାରକୁ ୨୫ କେଜି ରାସନ ଓ ଅନ୍ୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ସେହିପରି ୨ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୧୫ ଶହ ଟଙ୍କା ମିଳିବ ଓ ଖୁବ ଶୀଘ୍ର ବିଧବା ଭତା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.