
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବେଆଇନ ଦାଦନ ଚାଲାଣ ବିରୋଧରେ ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା ମିଳିଛି । ଗୋଟିଏ ରାତିରେ ଦୁଇ ନାବାଳକଙ୍କ ସମେତ ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୪ ଜଣ ଦାଦନ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଗୋଟିଏ ବୋଲେରୋ ଓ ଗୋଟିଏ ପିକ୍ଅପ୍ ଗାଡ଼ି ଜବତ ହୋଇଛି । ପ୍ରଥମ ଘଟଣାରେ ଏସ୍ଆଇ ଲିଙ୍ଗରାଜ କିଷାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ବଡ଼ ଗୁର୍ଜିଭଟା ବ୍ରିଜ୍ ନିକଟରେ ଏକ ବୋଲେରୋ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚରୁ ଶ୍ରମିକମାନଙ୍କୁ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଇଟାଭାଟିକୁ ନିଆଯାଉଥିବା ଜଣାପଡ଼ିଥିଲା । ଏହି ଘଟଣାରେ ଜଣେ ଦଲାଲ ଗିରଫ ହୋଇଥିଲେ । ସେହିପରି ଏଏସ୍ଆଇ ରବୀନ୍ଦ୍ର କୁମ୍ଭାରଙ୍କ ନେତୃତ୍ୱରେ ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ନିକଟରେ ଏକ ପିକ୍ଅପ୍ ଗାଡ଼ିରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳକୁ ନିଆଯାଉଥିବା ବେଳେ ଏହି ଘଟଣାରେ ଆଉ ତିନି ଜଣ ଦଲାଲ ଗିରଫ ହୋଇଥିଲେ । ଏନେଇ ଖପ୍ରାଖୋଲ ଥାନାରେ କେସ୍ ନଂ ୨୩୯/୨୦୨୬ ଓ ୨୪୦/୨୦୨୬ରେ ଦୁଇଟି ମାମଲା ରୁଜୁ ହୋଇଛି । ଗିରଫ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ନାବାଳକଙ୍କ ସମେତ ୨୨ ଶ୍ରମିକଙ୍କୁ ବେଆଇନ ଚାଲାଣରୁ ରକ୍ଷା କରିବାରେ ପୋଲିସର ଏହି ତତ୍ପରତା ପ୍ରଶଂସନୀୟ । ତେବେ ଦାଦନ ଚାଲାଣର ମୂଳ ନେଟୱର୍କକୁ ଠାବ କରି ନିର୍ମୂଳ କରିବା ଏବେ ଗୁରୁତ୍ୱପୂର୍ଣ୍ଣ ।