
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ସଂସ୍କାର ଭାରତୀ ସୁବର୍ଣ୍ଣପୁର ଶାଖାର ମିଳିତ ଆୟୋଜନରେ ଜିଲ୍ଲା ସଂସ୍କୃତି ଭବନର ପ୍ରେକ୍ଷାଳୟ ଠାରେ ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଷେତ୍ର ସହ ପ୍ରମୁଖ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ “ସଂସ୍କୃତି ନୈବେଦ୍ୟ ପ୍ରାକ ଲୋକ ମନ୍ଥନ ୨୦୨୬” ଲୋକ ସଂସ୍କୃତି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ ସିଂହ ଯୋଗଦେଇ ଉପସ୍ଥିତ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାର ୧୭ ଗୋଟି ମନୋନୀତ ସଂକୀର୍ତ୍ତନ ଦଳ ଭାଗନେଇ ପାରମ୍ପାରିକ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଅଖିଳ ଭାରତ ସଂସ୍କାର ଭାରତୀର ଲୋକକଳା ସଂଯୋଜକ ନିରଞ୍ଜନ ପଣ୍ଡା ଓ ପ୍ରାନ୍ତ ଅଧ୍ୟକ୍ଷ ହରେକୃଷ୍ଣ ଭୋଇ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଂସ୍କାର ଭାରତୀ ଜିଲ୍ଲା ଶାଖାର ଶ୍ରଦ୍ଧାଞ୍ଜଳି ମିଶ୍ର, ଆରତୀ ଖମାରୀ, ସ୍ମୀତାରାଣୀ ମେହେର, ଲକ୍ଷ୍ମୀ ପ୍ରିୟା ପାଣିଗ୍ରାହୀ, ମଦନ ସୁନ୍ଦର ଖେତି, ବେଣୀମାଧବ ବେଦବାକ, ମିଥୁନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।