କୋଇଡାରେ ବନ ବିଭାଗର ବଡ଼ ସଫଳତା : ୩୭ ଟନ୍ ଚୋରା ମାଙ୍ଗାନିଜ ଜବତ, ୨ ଗିରଫ

csstore

କୋଇଡା, (କେପିଏନ୍‌ଏସ୍‌) : ଦୀର୍ଘ ଦିନ ଧରି ଲୁହାପଥର ଓ ମାଙ୍ଗାନିଜ ଚୋରାଚାଲାଣ ପାଇଁ ଚର୍ଚ୍ଚାରେ ଥିବା କୋଇଡା ଅଞ୍ଚଳରେ ବନ ବିଭାଗ ଏବେ କଡ଼ା ପଦକ୍ଷେପ ନେଇଛି । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୋଇଡା ବନାଞ୍ଚଳ ଅଧିକାରୀ ଅସିତ କୁମାର ସାହୁଙ୍କ ନେତୃତ୍ୱରେ ଖଣି ମାଫିଆଙ୍କ ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଅଭିଯାନ । ଗତ ଏପ୍ରିଲ ୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ବଣାଇ ଡିଏଫ୍‌ଓ ଯୋଶବନ୍ତ ସେଠୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଏହି ଟିମ୍ ଚୋରାଚାଲାଣ ପ୍ରବଣ ଅଞ୍ଚଳଗୁଡ଼ିକରେ ନିୟମିତ ପେଟ୍ରୋଲିଂ କରି ଅବୈଧ ଖଣିଜ ପରିବହନ ଉପରେ ଅନେକ ମାତ୍ରାରେ ଅଙ୍କୁଶ ଲଗାଇଛି । ତେବେ ବର୍ଷା ଓ ଅନ୍ଧାରର ସୁଯୋଗ ନେଇ ଖଣି ମାଫିଆମାନେ ଚୋରାଚାଲାଣ ଜାରି ରଖିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ମଧ୍ୟ ସତର୍କ ରହିଛି । ଗତ ୨ ତାରିଖରେ ଗଣୁଆ-ମାଲଦା ଅଞ୍ଚଳରୁ ପ୍ରାୟ ୫ ଲକ୍ଷ ଟଙ୍କାର ଗଚ୍ଛିତ ମାଙ୍ଗାନିଜ ଜବତ ହୋଇଥିବା ବେଳେ, ୬ ଜୁଲାଇରେ ମାଲଦା ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୧୧ ଲକ୍ଷ ଟଙ୍କାର ମାଙ୍ଗାନିଜ ଜବତ କରାଯାଇଥିଲା । ଏହି କ୍ରମରେ ଆଜି ପ୍ରଭାତରେ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନୀଳାଞ୍ଚଳ ଖଣି ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ବନ ବିଭାଗର ଚଢ଼ାଉ ବେଳେ ଏକ ହାଇୱା ଗାଡ଼ିରେ ଚୋରା ମାଙ୍ଗାନିଜ ପରିବହନ ହେଉଥିବା ଧରାପଡ଼ିଥିଲା । ଚଢ଼ାଉ ସମୟରେ ଗାଡ଼ି ଚାଳକ ବିକାଶ ତନ୍ତୀ ଓ ହେଲପର ସାଧୁଚରଣ କଳା ଖସି ପଳାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ବନ ବିଭାଗ ଟିମ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଚଢ଼ାଉରେ ଚୋରାଚାଲାଣରେ ବ୍ୟବହୃତ ହାଇୱା ସହ ପ୍ରାୟ ୩୭ ଟନ୍ ମାଙ୍ଗାନିଜ ଜବତ କରାଯାଇଛି । ଏହାସହ ଚାଳକ ଓ ହେଲ୍‌ପରଙ୍କୁ ଗିରଫ କରି ମାମଲା ରୁଜୁ କରାଯାଇଛି । କୋଇଡା ବନାଞ୍ଚଳ ଅଧିକାରୀ ଅସିତ କୁମାର ସାହୁ କହିଛନ୍ତି ଯେ, ଆଗାମୀ ଦିନରେ ଖଣି ମାଫିଆଙ୍କ ବିରୋଧରେ ଆହୁରି କଡ଼ା ଅଭିଯାନ ଚାଲିବ ଏବଂ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ଚୋରାଚାଲାଣ ନିର୍ମୂଳ କରିବା ଲକ୍ଷ୍ୟରେ ବନ ବିଭାଗ କାମ କରୁଛି । ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ଖଣି ମାଫିଆଙ୍କ ମଧ୍ୟରେ ଚିନ୍ତା ବଢ଼ାଇଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.