ସୁନ୍ଦରଗଡ଼, (କେପିଏନ୍ଏସ୍) : ଖରିଫ ଚାଷ ଋତୁରେ ସାର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି । ସାର ପାଇବା ଆଶାରେ ଚାଷୀମାନେ ଭୋରରୁ ଆସି ଆଧାର କାର୍ଡ ରଖି ଲମ୍ବା ଧାଡ଼ି ଲଗାଇଥିବା ଦୃଶ୍ୟ ସୁନ୍ଦରଗଡ଼ ଆଞ୍ଚଳିକ ବିପଣନ ସମବାୟ ସମିତି (ଆରସିଏମ୍ଏସ୍) କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି । ରାସ୍ତାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ଅଧ କିଲୋମିଟର ଲମ୍ବା ଏହି ଧାଡ଼ି ଚାଷୀଙ୍କ ଦୁର୍ଦ୍ଦଶାକୁ ସ୍ପଷ୍ଟ କରୁଛି । ଆରସିଏମ୍ଏସ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ପୌରାଞ୍ଚଳର ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ଚାଷୀମାନଙ୍କୁ ଗୋଟିଏ ଡିଏପି ବସ୍ତା ଓ ଗୋଟିଏ ନାନୋ ୟୁରିଆ ଦିଆଯିବ । କିନ୍ତୁ ଦିନକୁ ମାତ୍ର ୬୦ ଜଣ ଚାଷୀଙ୍କୁ ସାର ଯୋଗାଣ ବ୍ୟବସ୍ଥା ଥିବାରୁ ଶହ ଶହ ଚାଷୀ ନିରାଶ ହେଉଛନ୍ତି । ଆଜି ସାର ପାଇବା ପାଇଁ ୨୦୦ରୁ ଅଧିକ ଚାଷୀ କାର୍ଯ୍ୟାଳୟ ଆଗରେ ଅପେକ୍ଷା କରିଥିବା ବେଳେ, ସେମାନଙ୍କ ମଧ୍ୟରୁ କେବଳ ୬୦ ଜଣଙ୍କୁ ସାର ମିଳିବ । ଅନ୍ୟମାନେ ଦିନସାରା ଅପେକ୍ଷା କରି ଖାଲି ହାତରେ ଫେରିବାକୁ ବାଧ୍ୟ ହେବେ । ଚାଷୀମାନଙ୍କ କହିବା ଅନୁଯାୟୀ, ଚାଷ କାମର ଗୁରୁତ୍ୱପୂର୍ଣ୍ଣ ସମୟରେ ସାର ଅଭାବ ଯୋଗୁଁ ସେମାନେ ଭାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ କିମ୍ବା ଦୁଇଟି ବସ୍ତା ସାର ଦେଇ ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏପରି ପରିସ୍ଥିତିରେ ଦିନକୁ ମାତ୍ର ୬୦ ଜଣ ଚାଷୀଙ୍କୁ ସାର ବଣ୍ଟନ କରିବାର ନିୟମ ହଟାଇ, ସମସ୍ତ ଯୋଗ୍ୟ ଚାଷୀଙ୍କୁ ଆବଶ୍ୟକ ଅନୁସାରେ ସାର ଯୋଗାଇବାକୁ ଦାବି ଜୋର ଧରିଛି । ଚାଷୀଙ୍କ ମତରେ, ସରକାର ତୁରନ୍ତ ସାର ଯୋଗାଣ ବଢ଼ାଇ ନଦେଲେ ଆଗାମୀ ଦିନରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବ ।
