ଝାଡ଼ଖଣ୍ଡ, (କେପିଏନ୍ଏସ୍) : ଏକଦା ମାଓବାଦୀଙ୍କ ଅଭେଦ୍ୟ ଗଡ଼ ଭାବେ ପରିଚିତ ସରଣ୍ଡା ଜଙ୍ଗଲ ଏବେ ସୁରକ୍ଷାବାହିନୀର କଡ଼ା ନଜର ତଳେ ରହିଛି । ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାକୁ ବ୍ୟାପିଥିବା ଏହି ଘଞ୍ଚ ଜଙ୍ଗଲରେ ଦୀର୍ଘଦିନ ଧରି ମାଓବାଦୀ ନେତାମାନେ ନିଜର ପ୍ରଭାବ ବିସ୍ତାର କରିଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ମାଓମୁକ୍ତ ଅଭିଯାନ ପରେ ଓଡ଼ିଶା ପୁଲିସ, ଝାଡ଼ଖଣ୍ଡ ପୁଲିସ, ସିଆର୍ପିଏଫ୍, ଡିଭିଏଫ୍ ଏବଂ ଝାଡ଼ଖଣ୍ଡ ଜାଗୁଆର ମିଳିତ ଭାବେ ବ୍ୟାପକ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି । ଗତ କିଛି ମାସ ଧରି ଏକ ପରେ ଏକ ମାଓ ନେତାଙ୍କୁ ଗିରଫ କରାଯାଉଥିବା ବେଳେ ଅନେକ ଏନ୍କାଉଣ୍ଟରରେ ନକ୍ସଲମାନେ ନିହତ ହୋଇଛନ୍ତି । ସମ୍ପ୍ରତି ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ରବିନ୍ଦ୍ର ଗଞ୍ଜୁ ଏବଂ ୨.୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ କମାଣ୍ଡର ଅଜୟ ମହାତୋଙ୍କୁ ଗିରଫ କରାଯାଇଛି । ଏହି ଚାପ ଫଳରେ ଅନେକ ମାଓବାଦୀ ସରଣ୍ଡା ଛାଡ଼ି ଖୁଣ୍ଟି, ସରେଇକେଲା ଓ ଚାଇବାସା ଅଞ୍ଚଳକୁ ପଳାଇଥିବା ସୂଚନା ମିଳିଛି । ୨୦୨୬ ମସିହାର ଜାନୁଆରିରୁ ଜୁଲାଇ ମଧ୍ୟରେ ସରଣ୍ଡା ଅଞ୍ଚଳରେ ହୋଇଥିବା ବିଭିନ୍ନ ଅଭିଯାନରେ ୨୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ କେବଳ ସରଣ୍ଡା ଜଙ୍ଗଲରେ ୧୭ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ଏହା ସହିତ ଏନ୍କାଉଣ୍ଟର ଭୟରେ ୨୫ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ଝାଡ଼ଖଣ୍ଡ ପୁଲିସ ସୂଚନା ଦେଇଛି । ତଥାପି ସୁରକ୍ଷାବାହିନୀର ଘେରାବନ୍ଦି ମଧ୍ୟରୁ ୩୨ ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଖସି ପଳାଇବାରେ ସଫଳ ହୋଇଛନ୍ତି । ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପୁଲିସ ଆହ୍ୱାନ କରିଥିବା ବେଳେ ଅନ୍ୟଥା କଡ଼ା କାର୍ଯ୍ୟାନୁଷ୍ଠାନ ଓ ଏନ୍କାଉଣ୍ଟର ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି । ଏପଟେ ଝାଡ଼ଖଣ୍ଡ ପୁଲିସ ସକ୍ରିୟ ଥିବା ୩୨ ଜଣ ମାଓବାଦୀଙ୍କ ତାଲିକା ଜାରି କରିଛି । ସେମାନଙ୍କ ମୁଣ୍ଡ ଉପରେ ୫ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷିତ ହୋଇଛି । ସିପିଆଇ (ମାଓବାଦୀ) ପଲିଟବ୍ୟୁରୋ ସଦସ୍ୟ ମିସିର ବେସ୍ରା ଓରଫ୍ ଭାସ୍କର ଏବଂ କେନ୍ଦ୍ରୀୟ କମିଟି ସଦସ୍ୟ ଅସୀମ ମଣ୍ଡଳ ଓରଫ୍ ଆକାଶଙ୍କ ମୁଣ୍ଡ ଉପରେ କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ହୋଇଛି । ସରଣ୍ଡା ଜଙ୍ଗଲରେ ଚାଲିଥିବା ଏହି ବଡ଼ ଅପରେସନ୍ ମାଓବାଦୀ ସଂଗଠନକୁ ଦୁର୍ବଳ କରିବା ସହ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
