ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ : ଖୋଲିଲା ୪ଟି ଫାଟକ, ନଦୀକୂଳ ଅଞ୍ଚଳକୁ ସତର୍କତା

csstore

ସମ୍ବଲପୁର, (କେପିଏନ୍‌ଏସ୍‌) : ଛତିଶଗଡ଼ରେ ଲଗାତାର ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ବଢ଼ିବାରୁ ରବିବାର ଡ୍ୟାମର ୪ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଆରମ୍ଭ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ସକାଳ ୭ଟାରେ ସତର୍କ ସାଇରନ୍‌ ବଜାଯାଇଥିବା ବେଳେ ସକାଳ ୯ଟାରେ ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ୧ଟି ଫାଟକ ଖୋଲାଯାଇଥିଲା । ଫାଟକ ଖୋଲାଯିବା ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍‌ ରହିଥିବା ବେଳେ ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୭ ହଜାର ୪୪୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା । ଜଳ ପ୍ରବାହ ବୃଦ୍ଧି ପାଉଥିବାରୁ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜଳସ୍ତର ବଢ଼ି ୬୧୨.୨୯ ଫୁଟ୍‌ରେ ପହଞ୍ଚିଥିଲା । ସେହି ସମୟରେ ଜଳଭଣ୍ଡାରକୁ ୧ ଲକ୍ଷ ୬୨ ହଜାର ୧୭୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମର ଫାଟକ ଓ ଅନ୍ୟାନ୍ୟ ମାଧ୍ୟମରେ ମୋଟ ୯୩ ହଜାର ୩୬୦ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଥିଲା । ଏପଟେ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ମଧ୍ୟ ଜଳପ୍ରବାହ ବଢ଼ିଛି । କଟକର ମୁଣ୍ଡଳିଠାରେ ପ୍ରାୟ ୨ ଲକ୍ଷ ୪୪ ହଜାର ୩୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜଳପ୍ରବାହର ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଆଗାମୀ ଦିନରେ ବର୍ଷା ପରିସ୍ଥିତି ଅନୁଯାୟୀ ଆବଶ୍ୟକ ହେଲେ ଅଧିକ ଫାଟକ ଖୋଲାଯାଇପାରେ ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.