୨୭ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୨୪ ନଭେମ୍ବର ୨ରୁ

  • ଶାସ୍ତ୍ରୀୟ ଓ ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଷଣ କରିବେ ଭାରତର ବିଭିନ୍ନ ପ୍ରାନ୍ତର ୩୦୦ରୁ ଉର୍ଦ୍ଧ୍ଵ କଳାକାର

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭଞ୍ଜ କଳା କେନ୍ଦ୍ର ଆନୁକୂଲ୍ୟରେ ନଭେମ୍ବର ୨ତାରିଖରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇସ୍ପାତ ସହର ରାଉରକେଲାର ଭଞ୍ଜଭବନ ପ୍ରଦର୍ଶନୀ ପଡିଆର ବିଶାଳ ମୁକ୍ତାକାଶ ମଞ୍ଚରେ ଜାତୀୟସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ, ଆଦିବାସୀ ନୃତ୍ୟ ସଙ୍ଗୀତ ଉତ୍ସବର ମାନ୍ୟତା ପ୍ରାପ୍ତ “୨୭ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୨୪” ଆରମ୍ଭ ହେବାକୁ ଯାଉଛି । ସୂଚନାଯୋଗ୍ୟ ଯେ, ସବୁଜିମାରେ ପରିପୂର୍ଣ୍ଣ ଇସ୍ପାତ ସହରରେ ପ୍ରତି ବର୍ଷ ଆୟୋଜିତ ଏହି ମହୋତ୍ସବ, ଉଚ୍ଚକୋଟୀର ନୃତ୍ୟ ସଙ୍ଗୀତ ପ୍ରଦର୍ଶନ ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି କରିବା ସହିତ ଦେଶର ସାଂସ୍କୃତିକ ଓ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ସୃଷ୍ଟି କରିପାରିଛି । ଏହି ମହୋତ୍ସବରେ ୫ ଦିନ ବ୍ୟାପୀ ଭଞ୍ଜ ଭବନ ମୁକ୍ତାକାଶ ମଞ୍ଚ ଶଙ୍ଖ, ପଖଜ, ବଂଶୀଧୁନ, ଘୁଙ୍ଗୁରୁର ମୂର୍ଚ୍ଛନାରେ ରୋମାଞ୍ଚିତ ହୋଇଥାଏ, ଯାହା ଦର୍ଶକଙ୍କୁ ଏକ ସାଂସ୍କୃତିକ କଳ୍ପନାର ରାଇଜର ସ୍ପର୍ଶ ପ୍ରଦାନ କରିଥାଏ । ଉଲ୍ଲେଖନୀୟ ଯେ, ଭଞ୍ଜ ସାଂସ୍କୃତିକ ନ୍ୟାସର ଅଂଶବିଶେଷ, ଭଞ୍ଜ କଳା କେନ୍ଦ୍ର ୧୯୬୬ ମସିହାରେ ସ୍ଥାପିତ ହୋଇଥିଲା । ରାଉରକେଲା ଭଳି ଏକ ଉପାନ୍ତ ଅଞ୍ଚଳରେ ଓଡିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ସଂରକ୍ଷଣ ତଥା ଓଡିଶୀ ନୃତ୍ୟ, ଓଡିଶୀ ସଙ୍ଗୀତ, ଓଡିଶାର ଲୋକନୃତ୍ୟର ପ୍ରଚାର ପ୍ରସାର ଏହି ସାଂସ୍କୃତିକ ପ୍ରାଣକେନ୍ଦ୍ର ପ୍ରତିଷ୍ଠାର ଲକ୍ଷ୍ୟ ରହିଥିଲା । ୬୦ ଦଶକରୁ ଏହି ନୃତ୍ୟ ସଙ୍ଗୀତର ଏନ୍ତୁଡିଶାଳ ଏହି ଅଞ୍ଚଳରେ ଏକ ସାଂସ୍କୃତିକ ନବଜାଗରଣ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା ଏବଂ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିର ବୀଜ ରୋପଣ କରିଥିଲା । ଦେଶର ବିବିଧ ଭାଷା ଓ ପ୍ରାନ୍ତର ଲୋକ ବସବାସ କରୁଥିବା ମିନି ଇଣ୍ଡିଆ ରୂପେ ସ୍ୱୀକୃତି ଲାଭ କରିଥିବା ଇସ୍ପାତ ସହରରେ ସମସ୍ତ ଶାସ୍ତ୍ରୀୟ ଓ ଲୋକନୃତ୍ୟକୁ ଗୋଟିଏ ମଞ୍ଚରେ ଏକାଠି କରିବାର ସୁନ୍ଦର ପରିକଳ୍ପନା କରାଯାଇଥିଲା ଯାହା ୧୯୯୮ ମସିହାରେ ‘ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ’ ଭାବରେ ସଫଳ ରୂପ ନେଇଥିଲା । ଭଞ୍ଜ ଭବନ ବିଶାଳ ମୁକ୍ତ ରଙ୍ଗମଞ୍ଚରେ ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଭଳି ସମ୍ମାନପ୍ରାପ୍ତ ଦେଶବିଦେଶର ବହୁ ଲବ୍ଧପ୍ରତିଷ୍ଠ ମହାନ କଳାକାର ନିଜର ନୃତ୍ୟ ସଙ୍ଗୀତ ପରିବେଷଣ କରି ଇସ୍ପାତ ସହରବାସୀଙ୍କୁ କଳା ଚାତୁରୀରେ ରୋମାଞ୍ଚିତ କରିଛନ୍ତି । ଗୋଟିଏ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ଆଦିବାସୀ ନୃତ୍ୟ ଏହି ମହୋତ୍ସବକୁ ନିଆରା ଗଢିତୋଳେ । ଉତ୍ସବର ତୃତୀୟ ସନ୍ଧ୍ୟା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ଓଡିଶୀ ସଙ୍ଗୀତ ପାଇଁ ସଂରକ୍ଷିତ ରହିଥାଏ । ଚଳିତ ବର୍ଷ ଉତ୍ସବର ୨୭ତମ ଜୟନ୍ତୀ ମହୋତ୍ସବରେ ବହୁ ପ୍ରତିଷ୍ଠିତ କଳାକାର ସେମାନଙ୍କର ନୃତ୍ୟ ସଙ୍ଗୀତ ପ୍ରତିଭା ପରିବେଷଣ ନିମନ୍ତେ ଇସ୍ପାତ ସହରରେ ପଦାର୍ପଣ କରିବେ । ବହୁ ସମ୍ମାନଜନକ ପୁରସ୍କାରରେ ବିଭୂଷିତ ମହାନ କଳାକାରତଥା ସର୍ବମୋଟ ୩୦୦ରୁ ଉର୍ଦ୍ଧ୍ଵ ବିଶିଷ୍ଟ କଳାକାରଙ୍କ ସମାବେଶ ଚଳିତ ବର୍ଷର ଏହି ମହୋତ୍ସବରେ ଦେଖିବାକୁ ମିଳିବ । ଏହି ମହୋତ୍ସବରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମାନ୍ୟବର ମନ୍ତ୍ରୀ ଜୁଏଲ ଓରାମ, ଓଡିଶାର ଉଚ୍ଚ ଶିକ୍ଷା, ଯୁବସେବା, କ୍ରୀଡା ତଥା ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତି, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ରଘୁନାଥପଲ୍ଲୀ ପୂର୍ବତନ ବିଧାୟକ ସୁବ୍ରତ ତରାଇ, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ, ପଶ୍ଚିମାଞ୍ଚଳ ଡ଼ିଆଇଜି ବୃଜେଶ ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ଆର୍‌ଏମ୍‌ସି କମିଶନର ଆଶୁତୋଷ କୁଳକର୍ଣ୍ଣୀ, ଆର୍‌ଏସ୍‌ପି କାର୍ମିକ ଓ ପ୍ରଶାସନ ତଥା ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର, ଖଣି ଓ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଆଲୋକ ବର୍ମା, ସହର ପ୍ରଶାସନ ଓ ସିଏସ୍‌ଆର ବିଭାଗର ସିଜିଏମ୍‌ ଇନ୍‌ ଚାର୍ଜ ପ୍ରତାପ କୁମାର ସ୍ଵାଇଁ, ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ଅସୀମ କୁମାର ଘୋଷ, ହାଇଦ୍ରାବାଦ ଗଜ ଇଞ୍ଜିନିୟରିଂର ବିଜିନେସ ହେଡ ନିକୁଞ୍ଜ କିଶୋର ସ୍ଵାଇଁ ବିଭିନ୍ନ ସନ୍ଧ୍ୟାରେ ଅତିଥି ରୂପେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ମହୋତ୍ସବର ପ୍ରମୁଖ ଆକର୍ଷଣ ମଧ୍ୟରେ ରହିଛି ବିଶ୍ଵର ବିଭିନ୍ନ ପ୍ରାନ୍ତରେ ନିଜର ନୃତ୍ୟ ପ୍ରଦର୍ଶନ ପୂର୍ବକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଗୁରୁ ଅରୁଣା ମହାନ୍ତି ଏବଂ ତାଙ୍କର ସାଥି କଳାକାର, ଭାରତରେ ତଥା ବିଶ୍ଵର ବିଭିନ୍ନ ଦେଶରେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରି ଯଶ ଅର୍ଜ୍ଜନ କରିଥିବା ପୁନେର କଳାଶକ୍ତର ନୃତ୍ୟଶିଳ୍ପୀ, ମହାରାଷ୍ଟ୍ରର ପ୍ରସିଦ୍ଧ ଲାବଣି ନୃତ୍ୟ, ସାରା ବିଶ୍ଵରେ ନୃତ୍ୟ ପ୍ରଦର୍ଶନ ପୂର୍ବକ ଯଶ ଅର୍ଜନ କରିଥିବା ଗଞ୍ଜାମର ଲୋକପ୍ରିୟ ପଶୁନୃତ୍ୟ ଦଳ, ଗୁରୁ ପୌଶାଳୀ ଚାଟର୍ଜୀ ଓ ସାଥିଙ୍କ ଦ୍ଵାରା ମଣିପୁରୀ ନୃତ୍ୟ ପ୍ରଦର୍ଶନ, ଗୁରୁ ଦୁର୍ଗା ଚରଣ ରଣବୀର ଓ ଗୁରୁ ନୀଳାଦ୍ରି ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡିଶୀ ନୃତ୍ୟ, ମଧ୍ୟପ୍ରଦେଶର ଲୋକ ନୃତ୍ୟ, ଏବଂ ଆସାମର ଲୋକପ୍ରିୟ ଲୋକନୃତ୍ୟ ଇତ୍ୟାଦି । ଶାସ୍ତ୍ରୀୟ ସଙ୍ଗୀତ ପର୍ଯ୍ୟାୟରେ ଚଳିତ ବର୍ଷ ସଙ୍ଗୀତ ପରିବେଷଣ କରିବେ ଓଡିଶାର ସୁନାମଧାନ୍ୟ ଓଡିଶୀ କଣ୍ଠଶିଳ୍ପୀ, ଗୁରୁଶ୍ରୀ ରୂପକ କୁମାର ପରିଡା ଏବଂ ବିଶ୍ଵର ବିଭିନ୍ନ ଦେଶରେ ସଙ୍ଗୀତ ପରିବେଷଣ କରି ସୁନାମ ଅର୍ଜ୍ଜନ କରିଥିବା ଭାରତର ଅଗ୍ରଣୀ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଗୁରୁ କୌଶିକ ଭଟ୍ଟାଚାର୍ଜୀ । ୨୬ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜ କଳା କେନ୍ଦ୍ରର ସଭାପତି ଶୁଭଶଙ୍କର ରାୟଚୌଧୁରୀ, ସାଧାରଣ ସମ୍ପାଦକ, ରାଧାକୃଷ୍ଣ ମହାପାତ୍ର, ଉପସଭାପତି, ଆଲୋକ କୁମାର ବେହେରା, କୋଷାଧ୍ୟକ୍ଷ ସୁବ୍ରତ ଶତପଥୀ, ମୁଦ୍ରଣ ସମ୍ପାଦକ ଶଶାଙ୍କ ଶେଖର ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତା ବିବେକାନନ୍ଦ ପରିଡା, ପୂର୍ଣ୍ଣିମା ଦସ୍ତିଦାର, ପ୍ରଦୀପ ଗୌଡ, ଅକ୍ଷୟ କୁମାର ମହାନ୍ତି, କନକ ଲତା ମିଶ୍ର, ସୁରେନ୍ଦ୍ର ନାଥ ମହାରଣା, ସୁବ୍ରତ ଶତପଥୀ, ବସନ୍ତ ସାହୁ, ରସାନନ୍ଦ ମହାନ୍ତ, ପଞ୍ଚାନନ ସାହୁ, ଗଜେନ୍ଦ୍ର ମୁର୍ମୁ, ପ୍ରବୀଣ ରଥ, ଜ୍ୟୋତିର୍ମୟ ଆଚାର୍ଯ୍ୟ, କୋଏନା ଦସ୍ତିଦାର, ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଭଞ୍ଜ କଳା କେନ୍ଦ୍ର ପ୍ରତ୍ୟେକ ବର୍ଷ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାର ସଙ୍ଗେସଙ୍ଗେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ଥିବା ତଥା ପ୍ରାକୃତିକ ଶୋଭାରାଜୀରେ ଭରପୁର ଏହି ଅଞ୍ଚଳକୁ ଏକ ପର୍ଯ୍ୟଟନସ୍ଥଳୀ ରୂପେ ସମୃଦ୍ଧ କରିବା ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ମୂଳ ଉଦ୍ଦେଶ୍ୟ ଅଟେ । ଏହି ଉତ୍ସବରେ କୌଣସି ପ୍ରବେଶିକା ଶୁଳ୍କ ନାହିଁ । ବହୁ ସଂଖ୍ୟାରେ ଇସ୍ପାତ ସହରବାସୀ ପଶ୍ଚିମ ଓଡିଶାର ଏହି ସର୍ବବୃହତ ଉତ୍ସବରେ ଯୋଗଦେଇ ଦେଶର ପ୍ରଶିଥଯଶା କଳାକାରମାନଙ୍କର ପ୍ରଦର୍ଶନ ଉପଭୋଗ ପୂର୍ବକ ମହୋତ୍ସବକୁ ସଫଳ କରିବା ନିମନ୍ତେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଧାକୃଷ୍ଣ ମହାପାତ୍ର ନିବେଦନ କରିଛନ୍ତି ।

Leave A Reply

Your email address will not be published.