
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଅନ୍ତର୍ଗତ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବାଳିକା ଶିକ୍ଷା, ମହିଳା ସଶକ୍ତୀକରଣ ଓ ନାରୀ ସୁରକ୍ଷା ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ନରୋତ୍ତମ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ବଙ୍ଗୋମୁଣ୍ଡା ସିଡିପିଓ ମାଧୁରୀ ହୋତା, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ ଓ ଅଧ୍ୟାପକ ଅକ୍ଷୟ ପ୍ରଧାନ, ସୁମନ୍ତ ବାଗ, ରେଶମା ନାଗ, ସାଗର ରଞ୍ଜନ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ଝିଅ ମାନଙ୍କ ଶିକ୍ଷା ଓ ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିବା ସହ ବାଳିକାଙ୍କ ପ୍ରତି ଥିବା ଭେଦଭାବ ଦୂର କରିବାକୁ ଆହ୍ୱାନ ଦେଇଥିଲେ । ବାଲ୍ୟବିବାହ ରୋକିବା, ଝିଅମାନଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବା ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଯୁବପିଢ଼ିଙ୍କ ମଧ୍ୟରେ ନାରୀ ସୁରକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ସହ ସମାନତା ଭିତ୍ତିକ ସମାଜ ଗଠନ ଉପରେ ଆଲୋଚନା ହୋଇଥିଲା । ଏଥିରେ ବହୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।