
ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନଗର ମଣ୍ଡଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନଗର ମଣ୍ଡଳ ସଭାପତି ପ୍ରମୋଦ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଅଞ୍ଚଳର ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ସମ୍ମିଳନୀରେ ନଗର ମଣ୍ଡଳ ସଭାପତି ପ୍ରମୋଦ ମେହେର, ଜିଲ୍ଲା ଉପ ସଭାପତି ସୁନୀଲ ଅଗ୍ରୱାଲ, ୨ ନମ୍ବର ୱାର୍ଡର କାଉନସିଲର ଇଞ୍ଜିନିୟର କୁନାଲ ପାଣିଗ୍ରାହୀ, ୯ ନମ୍ବର ୱାର୍ଡର କାଉନସିଲର ଆଡଭୋକେଟ୍ ଚିନ୍ମୟ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ଥିଲେ । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ନୂତନ ଡାକ୍ତର ନିଯୁକ୍ତିକୁ ସ୍ୱାଗତ ସମ୍ମିଳନୀରେ ପ୍ରଥମେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପାଇଁ ନୂତନ ଡାକ୍ତର ନିଯୁକ୍ତି ହୋଇଥିବା ପ୍ରସଙ୍ଗକୁ ସ୍ୱାଗତ କରାଯିବା ସହିତ ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏବଂ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏଙ୍କ ପ୍ରଚେଷ୍ଟାକୁ ଦଳ ପକ୍ଷରୁ ଧନ୍ୟବାଦ ଜଣାଯାଇଥିଲା । ଆଗାମୀ ଡାକ୍ତର କାଉନସେଲିଂ ଓ ପଦ୍ମପୁରକୁ ଡାକ୍ତର ଆସିବା ପ୍ରସଙ୍ଗ ସମ୍ମିଳନୀରେ ଇଞ୍ଜିନିୟର କୁନାଲ ପାଣିଗ୍ରାହୀ କହିଥିଲେ ଯେ, ଆଗାମୀ ଦିନରେ ରାଜ୍ୟସ୍ତରୀୟ ଡାକ୍ତର କାଉନସେଲିଂ ପ୍ରକ୍ରିୟା ହେବାକୁ ଥିବା ବେଳେ ବରଗଡ଼ ଜିଲ୍ଲା ପାଇଁ ଆସିବାକୁ ଥିବା ଡାକ୍ତରଙ୍କ ମଧ୍ୟରୁ ପଦ୍ମପୁର ଉପଖଣ୍ଡକୁ ଡାକ୍ତର ମିଳିବା ନେଇ ଆଶା ପ୍ରକାଶ କରାଯାଇଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ବର୍ତ୍ତମାନର ଶଯ୍ୟା କ୍ଷମତା ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହସ୍ପିଟାଲର ଭିତ୍ତିଭୂମି ବିକାଶ ପାଇଁ ପ୍ରୟାସ ଜାରି ରହିଛି । ପଦ୍ମପୁରରେ ସରକାରୀ ଏଏନ୍ଏମ୍/ଜିଏନ୍ଏମ୍ ନର୍ସିଂ କଲେଜ ପାଇଁ ଦାବି ପଦ୍ମପୁରରେ ଏକ ସରକାରୀ ଏଏନ୍ଏମ୍ ଓ ଜିଏନ୍ଏମ୍ ନର୍ସିଂ କଲେଜ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଦାବି କରାଯାଇଛି ଏବଂ ମନ୍ତ୍ରୀଙ୍କ ପାଖରୁ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ଆସିଛି,ସମ୍ମିଳନୀରେ ୯ ନମ୍ବର ୱାର୍ଡର କାଉନସିଲର ଆଡଭୋକେଟ୍ ଚିନ୍ମୟ କୁମାର ପଣ୍ଡା ଡାକ୍ତର ଏବଂ ନର୍ସ ନିଯୁକ୍ତି ଏକ ମାନବ ସମ୍ବଳ ପ୍ରକ୍ରିୟା, ଉପଯୁକ୍ତ ପ୍ରକ୍ରିୟା ଏବଂ ବିଧି ବ୍ୟବସ୍ଥା ଦ୍ୱାରା ହିଁ ନିଯୁକ୍ତି ଦିଆଯାଇଥାଏ, ଏହା ଗୋଟିଏ ରାତିର ସମସ୍ୟା ନୁହେଁ କି ଗୋଟିଏ ରାତିର ସମାଧାନ ମଧ୍ୟ ନୁହେଁ, ପଦ୍ମପୁରରେ ଏକ ନୂତନ ମଲ୍ଟି ସ୍ପେଶିଆଲିଟି ଡାକ୍ତରଖାନା ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି ଏବଂ ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଇଛି, ପଦ୍ମପୁର ଅଞ୍ଚଳର ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ପୂର୍ବତନ ଲୋକସଭା ସାଂସଦ ତଥା ବର୍ତ୍ତମାନର ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ତାଙ୍କ ମତାନୁସାରେ, ସାଂସଦ ଥିବା ସମୟରେ ସୁରେଶ ପୂଜାରୀ ଅକ୍ସିଜେନ୍ ସିଲିଣ୍ଡର, ପଦ୍ମପୁର ହସ୍ପିଟାଲ ପାଇଁ ଅକ୍ସିଜେନ୍ ପ୍ଲାଣ୍ଟ, ୨ ଗୋଟି ଆମ୍ବୁଲାନ୍ସ , ଏବଂ ଏକ ମୁକ୍ତି ରଥ (ଡେଡ୍ ବଡି କ୍ୟାରିୟର) ପ୍ରଦାନ କରିଛନ୍ତି । ସାମ୍ବାଦିକ ମାନଙ୍କ ପ୍ରସ୍ତାବିତ ଆନ୍ଦୋଳନ ପ୍ରଶ୍ନ ଉପରେ ଗଣତାନ୍ତ୍ରିକ ଦେଶରେ କାହାକୁ ଆନ୍ଦୋଳନ କରିବା ପାଇଁ ମନା ନାହିଁ କି କାହାକୁ ରାଜନୀତି କରିବା ପାଇଁ ମଧ୍ୟ ମନା ନାହିଁ ବୋଲି ଶ୍ରୀଯୁକ୍ତ ପଣ୍ଡା ଉତ୍ତର ରଖିଥିଲେ । ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ପ୍ରଚେଷ୍ଟା ଜାରି ରହିବ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତୃବୃନ୍ଦ କହିଥିଲେ ଯେ, ପଦ୍ମପୁର ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଗାମୀ ଦିନରେ ମଧ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ଓ ଅନୁସରଣ କରାଯିବ । ପଦ୍ମପୁରର ଲୋକଙ୍କ ଆବଶ୍ୟକତା ଓ ସ୍ଥାନୀୟ ସମସ୍ୟାକୁ ନେଇ ସରକାରୀ ସ୍ତରରେ ଆଲୋଚନା ଓ ପ୍ରଚେଷ୍ଟା ଜାରି ରଖିବା ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଥିଲା । ସମ୍ମିଳନୀ ଶେଷରେ ଜିଲ୍ଲା ଉପସଭାପତି ସୁନିଲ୍ ଅଗ୍ରୱାଲ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।