
- ହାଇକୋର୍ଟଙ୍କ ରାୟ ରଦ୍ଦ ପାଇଁ ସୁପ୍ରିମକୋର୍ଟ ଯାଆନ୍ତୁ ରାଜ୍ୟ ସରକାର – ନରସିଂହ
- ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ଯେଉଁ ଖଣି କଂପାନୀକୁ ଯେତେ ବର୍ଷ ପାଇଁ ଲିଜ୍ ଦେଇଛନ୍ତି ସେହି ସମୟସୀମା ପୂରଣ ହୋଇଗଲେ ରାଜ୍ୟ ସରକାର ପୁଣି ସେହି ଖଣି ପାଇଁ ନିଲାମ ଡାକିବା କଥା କିନ୍ତୁ ନିକଟରେ ଘଟିଯାଇଥିବା ଏକ କେସ ନମ୍ବରରୁ ଜଣାପଡୁଛି ଯେ ଡବ୍ଲୁପି (ସି) ୧୭.୦୬.୨୬ ସାରଦା ମାଇନ୍ସ ଲିଃ ଏବଂ ଅନ୍ୟ ବନାମ ଓଡିଶା ରାଜ୍ୟ ସରକାର ଏବଂ ଅନ୍ୟ କେସରୁ ଜଣାପଡୁଛି ଯେ, ହାଇକୋର୍ଟ ଖଣି ମାଲିକଙ୍କୁ ଲିଜ୍ ସମୟସୀମା ସମାପ୍ତ ହୋଇସାରିଥିବା ବେଳେ ମଧ୍ୟ ଆଉ ୫ ବର୍ଷ ୧୦ ମାସ ଖଣି ଖନନ ପାଇଁ ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଆଇନ ସମ୍ମତ ନୁହେଁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ପ୍ରେସ ବିବୃତ୍ତି ମାଧ୍ୟମରେ ଶ୍ରୀ ମିଶ୍ର ଜଣାଇଛନ୍ତି ଯେ, ହାଇକୋର୍ଟଙ୍କ ରାୟ ଏହି ଘଟଣାରେ ଠିକ୍ ନୁହେଁ । ଲିଜ୍ ମାମଲାରେ ଆଇନ କହୁଛି ଥରେ ଖଣି ଲିଜ ସମୟସୀମା ସମାପ୍ତ ହେଲେ ସେହି ଖଣି ପୁଣି ନିଲାମ ଡକା ଯିବା ଦରକାର କିନ୍ତୁ ଏହି ଘଟଣାରେ ଖଣି ମାଲିକଙ୍କୁ ହାଇକୋର୍ଟଙ୍କ ଦ୍ୱାରା ଅତିରିକ୍ତ ସମୟ ପ୍ରଦାନ କରାଯାଇଛି । ଯାହାକି କଦାପି ଆଇନ ସମ୍ମତ ନୁହେଁ । ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେବା ଦରକାର । ତେଣୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଏଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟର ରାୟକୁ ବାତିଲ / ରଦ୍ଦ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।