
ବଲାଙ୍ଗିର, (କେପିଏନ୍ଏସ୍) : ଖରା ପାଇଁ ବଲାଙ୍ଗିର ଜିଲ୍ଲା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ପରିଚିତ । ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆସିଲେ ଏଠାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍ ଛୁଇଁବା ସାଧାରଣ କଥା। ପ୍ରଚଣ୍ଡ ଗରମ ଓ ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଦିନବେଳେ ରାସ୍ତାଘାଟ ପ୍ରାୟ ଶୂନଶାନ ଦେଖିବାକୁ ମିଳେ । ଲୋକେ ଘରୁ ବାହାରିବାକୁ ଭୟ କରନ୍ତି । ପାଣିର ଅଭାବ ଓ ତୀବ୍ର ଗରମରେ ମଣିଷ ଯେତେବେଳେ ନୟାନ୍ତ ହୋଇପଡ଼ୁଛି, ସେତେବେଳେ ଅବୋଲା ପକ୍ଷୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଅବସ୍ଥା କେମିତି ହେଉଥିବ ତାହା ସହଜରେ ଅନୁମାନ କରାଯାଇପାରେ । ଏଭଳି ପରିସ୍ଥିତିରେ ପକ୍ଷୀମାନଙ୍କ କଷ୍ଟକୁ ଅନୁଭବ କରି ଏକ ନିଆରା ପଦକ୍ଷେପ ନେଇଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧୁମାଭଟା ଗ୍ରାମପଞ୍ଚାୟତର ସରପଞ୍ଚ ବନମାଳୀ ନାଏକ । ପକ୍ଷୀମାନଙ୍କ ପାଇଁ ସେ ଗଛେ ଗଛେ ମାଟି ପାତ୍ର ଓ ଡବାରେ ପାଣି ରଖିବା ବ୍ୟବସ୍ଥା କରିଛନ୍ତି । ତାଙ୍କର ଏହି ମାନବିକ ଓ ପରିବେଶପ୍ରେମୀ କାର୍ୟ୍ୟ ଏବେ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଧୁମାଭଟା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ଗଛଗୁଡ଼ିକରେ ପାଣିଭରା ମାଟି ପାତ୍ର ଟାଙ୍ଗି ଦିଆଯାଇଛି । ଏହି ପାତ୍ରଗୁଡ଼ିକରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପାଣି ଭରାଯାଉଛି । ଫଳରେ ଖରାରେ ପାଣି ପାଇଁ ଡହଳବିକଳ ହେଉଥିବା ଚଢ଼େଇ, ଶାଳିକ, ପାରା, କାଉ, କୋଇଲି ସମେତ ବିଭିନ୍ନ ପକ୍ଷୀ ଆସି ସେଠାରେ ପାଣି ପିଉଛନ୍ତି । ପରିବେଶବିତ୍ମାନଙ୍କ ମତରେ, ଏଭଳି ଛୋଟ ଛୋଟ ପଦକ୍ଷେପ ପରିବେଶ ସୁରକ୍ଷାରେ ବଡ଼ ଭୂମିକା ନିଭାଇପାରେ । ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ କ୍ଷୟ ଓ ସହରୀକରଣ ଯୋଗୁଁ ପକ୍ଷୀମାନଙ୍କ ପ୍ରାକୃତିକ ବାସସ୍ଥାନ ସଙ୍କୁଚିତ ହେଉଛି । ଏଭଳି ସମୟରେ ପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କରିବା ମାନବ ସମାଜର ଏକ ନୈତିକ ଦାୟିତ୍ୱ ବୋଲି ସେମାନେ କହିଛନ୍ତି । ବନମାଳୀ ନାଏକଙ୍କ ଏହି ପଦକ୍ଷେପ କେବଳ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥାରେ ସୀମିତ ନୁହେଁ। ସେ ଲୋକମାନଙ୍କୁ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଜଳ ସଂରକ୍ଷଣ ସମ୍ପର୍କରେ ମଧ୍ୟ ସଚେତନ କରୁଛନ୍ତି। ତାଙ୍କ ମତରେ, ଗଛ ବଞ୍ଚିଲେ ପରିବେଶ ବଞ୍ଚିବ, ଆଉ ପରିବେଶ ବଞ୍ଚିଲେ ମଣିଷ ସହିତ ସମସ୍ତ ଜୀବଜଗତର ଅସ୍ତିତ୍ୱ ସୁରକ୍ଷିତ ରହିବ। ସୋସିଆଲ ମିଡିଆରେ ମଧ୍ୟ ସରପଞ୍ଚ ବନମାଳୀ ନାଏକଙ୍କ ଏହି କାର୍ୟ୍ୟକୁ ନେଇ ପ୍ରଶଂସାର ସୁଅ ଛୁଟିଛି । ଅନେକେ ତାଙ୍କୁ ଜଣେ ଜନପ୍ରତିନିଧି ଭାବେ ଅନୁକରଣୀୟ ବୋଲି କହିଛନ୍ତି । ସାଧାରଣତଃ ଜନପ୍ରତିନିଧିମାନେ ରାସ୍ତା, ପାଣି, ବିଦ୍ୟୁତ ଭଳି ବିକାଶମୂଳକ କାମରେ ବ୍ୟସ୍ତ ରହୁଥିବାବେଳେ ବନମାଳୀ ନାଏକ ପକ୍ଷୀଙ୍କ ଭଳି ଅବୋଲା ପ୍ରାଣୀଙ୍କ କଥା ଚିନ୍ତା କରି ଏକ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି । ବର୍ତ୍ତମାନ ତାଙ୍କର ଏହି ପ୍ରୟାସ ଅନ୍ୟ ପଞ୍ଚାୟତ ଓ ଅଞ୍ଚଳ ପାଇଁ ଏକ ପ୍ରେରଣା ପାଲଟିଛି ।