1234

ସୁସ୍ଥ ସମାଜ ଗଠନ ପାଇଁ ତମ୍ବାଖୁ ବର୍ଜନ କରିବାକୁ ବରଗଡ଼ ମହିଳା ସମିତିର ଆହ୍ୱାନ

ବରଗଡ଼, (ନିରୋଜ କୁମାର ପାଣୀ) : ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ି ଦେଉଛି, ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ । ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହେଉଛି । କ୍ୟାନସର ମୁକ୍ତ ତଥା ସୁସ୍ଥ ସବଳ ସମାଜ ଗଠନ ସକାଶେ ତମ୍ବାଖୁ ବର୍ଜନ କରିବାକୁ ବରଗଡ଼ ମହିଳା ସମିତି ସବିନୟ ଆହ୍ଵାନ ଜଣାଇଛି । ମହିଳା ସମିତି ପକ୍ଷରୁ ଆଜି ବିଶ୍ୱ ତମ୍ବାଖୁ ଦିବସ ପାଳନ ଅବସରରେ ବିଶିଷ୍ଟ ସମାଜ ସେବୀ ଗୀତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତମ୍ୱାଖୁ ଏବଂ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ବ୍ୟବହାର ବହୁଳ ମାତ୍ରାରେ ବଢ଼ିବାକୁ ଲାଗିଥିବା ବେଳେ ଆକାଶ କୁସୁମର ଆକର୍ଷଣ ପରି ଯୁବ ସମାଜ ଏଥିରେ ଆକର୍ଷିତ ହୋଇ ଏକ ବିପଦମୁଖୀ ଭବିଷ୍ୟତ ଆଡ଼କୁ ମୁହାଉଛନ୍ତି ବୋଲି ଉଦବେଗ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବରେ ସମାଜସେବୀ ସର୍ଦ୍ଦାର ପ୍ରିତମ ସିଂ ଓଡ଼ିଶାରେ ପ୍ରାୟ ୩୦ ପ୍ରତିଶତ ବୟସ୍କ ବ୍ୟକ୍ତି ଅଭ୍ୟାସଗତ ଭାବରେ ଏବଂ ପାଞ୍ଚ ପ୍ରତିଶତ ଲୋକ ସୌଖିନ ଭାବରେ ତମ୍ବାଖୁ ଓ ଧ୍ରୁମପାନ କରୁଛନ୍ତି ଏବଂ ତମ୍ବାଖୁ ଜନିତ କାରଣରୁ ଅସ୍ୱାଭାବିକ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି ବୋଲି ଦର୍ଶାଇ ଉଦବେଗ ପ୍ରକାଶ କରିଥିଲେ । ତମ୍ବାଖୁ କେବଳ କ୍ୟାନସରର କାରଣ ତାହା ନୁହେଁ ଏହା ହୃଦରୋଗ, ଶ୍ୱାସଜନିତ ରୋଗ, ବ୍ରେନ୍‌ଷ୍ଟ୍ରୋକ୍ ଆଦିର କାରଣ ସାଜୁଛି । ସେଥିପାଇଁ ସମସ୍ତେ ମାନସିକ ସ୍ତରରେ ଦୃଢ଼ମନା ହୋଇ ତମ୍ବାଖୁ ତଥା ଧ୍ରୁମପାନ ଠାରୁ ଦୂରେଇ ରହିବାକୁ ସଭାରେ ସଭାପତିତ୍ୱ କରି ମହିଳା ସମିତିର ସଭାନେତ୍ରୀ ଅଞ୍ଜନା ଦାସ ଜନସାଧାରଣଙ୍କୁ ସମିତି ପକ୍ଷରୁ ଅନୁରୋଧ ଜଣାଇଥିଲେ । ପ୍ରାରମ୍ଭରେ ମମତା ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ ଏବଂ ଶେଷରେ ସମ୍ପାଦିକା ସୁଧାଂଶୁବାଲା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.