ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୌଳିକ ସାକ୍ଷରତା ସମ୍ବନ୍ଧୀୟ ତାଲିମ ଏବଂ ତାହାର ପ୍ରତିକ୍ରିୟା, ପାଠ୍ୟ ଖସଡା ଅନୁଯାୟୀ ଆବଶ୍ୟକୀୟ ତାଲିମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପୁନଃ ବିଦ୍ୟାଳୟ ପ୍ରବେଶ, ପ୍ରାଥମିକ ବୃତ୍ତି, ମଧ୍ୟାହ୍ନ ଭୋଜନ, ବେସଲାଇନ ଟେଷ୍ଟ, ସ୍କୁଲ ଜମି ସଂକ୍ରାନ୍ତୀୟ କାଗଜାତ ସମ୍ପର୍କରେ ଆଲୋଚନା ହୋଇଥିଲା । ଇଟିଇଆଇର ଶିକ୍ଷକ ପ୍ରଶିକ୍ଷିକା ଡ. ସୁଧାଂଶୁବାଳା ତ୍ରିପାଠୀ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଶିକ୍ଷଣ ପାଇଁ ସିଆର୍ସିସି ପାଇଁ ପ୍ରଶିକ୍ଷଣ, ବ୍ଲକସ୍ତରୀୟ ତଥ୍ୟ ଫର୍ଦ୍ଦ ପ୍ରସ୍ତୁତି, ପିଲାମାନଙ୍କର ଶୈକ୍ଷିକ ସ୍ତରର ମୂଳଦୁଆ, ବ୍ଲକସ୍ତରୀୟ ବିକଳ୍ପ ଶିକ୍ଷାର ମୂଲ୍ୟାଙ୍କନ, ମୌଳିକ ସାକ୍ଷରତାର ବର୍ତମାନର ଜରୁରୀ ଆବଶ୍ୟକତା, ଡିଜିଟାଲ ମାଧ୍ୟମରେ ଗଠନମୂଳକ ପାଠ୍ୟ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ, ପରୀକ୍ଷା ପାଇଁ ଆବଶ୍ୟକୀୟ ସାମଗ୍ରୀ ଏବଂ ପରୀକ୍ଷା ପରିଚାଳନା ପଦ୍ଧତି, ପରୀକ୍ଷା ସାମଗ୍ରୀର ଉପଲବ୍ଧତା, ପ୍ରାକ୍ ଶୈଶବ ଯତ୍ନ ଏବଂ ଶିକ୍ଷା ଓ ଏହାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାବଳୀ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହ ଆଗାମୀ ଦିନରେ ବଲାଙ୍ଗିର ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ନୂତନ ଶିକ୍ଷା ନୀତି-୨୦୨୦ ଏବଂ ମୌଳିକ ସାକ୍ଷରତା ଉପରେ ଶିକ୍ଷକଙ୍କୁ ତାଲିମ ଯୋଗେଇବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଆର୍ସିସି, ୧୪ ଜଣ ସିଆର୍ସିସିଙ୍କ ସହ ନୀତି ଆୟୋଗର ୩ ଜଣ ସଦସ୍ୟ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ଏବିଇଓ କୈଳାଶ କୁମ୍ଭାର ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ସିଆର୍ସିସ ଗଣେଷ ପଣ୍ଡା ।