jayashree

ୟୁଏଇରେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର : ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ଟିମ୍‌କୁ ଭବ୍ୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ୟୁଏଇରେ ସମ୍ବଲପୁରୀ ଲୋକକଳା ଓ ସଂସ୍କୃତିର ପ୍ରଚାର-ପ୍ରସାର କରିଥିବା ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟର କଳାକାର ଦଳକୁ ପଦ୍ମପୁର ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ୨୭ ସେପ୍ଟେମ୍ବରରେ ୟୁଏଇରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଏହି ଦଳ ଯୋଗଦେଇ ବୋରାସମ୍ବର ଅଞ୍ଚଳର ସମ୍ବଲପୁରୀ ଲୋକସଙ୍ଗୀତ, ନୃତ୍ୟ ଓ ଲୋକସଂସ୍କୃତି ପରିବେଷଣ କରିଥିଲେ । ବୋରାସମ୍ବର ମାଟିରୁ ପ୍ରଥମ ଥର ପାଇଁ କଳାକାରମାନେ ଆନ୍ତର୍ଜାତୀୟ ମଞ୍ଚରେ ପହଞ୍ଚି ସ୍ଥାନୀୟ ଲୋକକଳାକୁ ବିଦେଶରେ ପରିଚିତ କରାଇଥିବାରୁ ଏହାକୁ ଅଞ୍ଚଳ ପାଇଁ ଗୌରବର ବିଷୟ ବୋଲି କୁହାଯାଇଛି । ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମାରୋହରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ଅପାଲି ଅପରାଜିତା ଦାଶ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ସୁରେନ୍ଦ୍ର ସାହୁ, ମଞ୍ଜୁଳା ବିଶ୍ୱାଳ, ଅଶ୍ୱିନୀ ପଟେଲ, ରସୁଲ କୁମ୍ଭାର, ଆଶାଲତା ଦାଶ, ଆୟୁଷୀ ଅଭିସ୍ମିତା ପ୍ରଧାନ ଓ ମୀନା ବାଗଙ୍କୁ ସମ୍ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ବିଦ୍ୟାଳୟର ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ‘ଲିଟିଲ୍ ସାଇଣ୍ଟିଷ୍ଟ’ମାନଙ୍କୁ ମଧ୍ୟ ସାଂସଦ ପୁରସ୍କୃତ କରିଥିଲେ । ଅନ୍ୟତମ ଅତିଥି ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରୀତମ ମେହେରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଡ. ରଶ୍ମିରେଖା ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ବୋରାସମ୍ବର ଅଞ୍ଚଳର ଲୋକକଳା ଓ ସଂସ୍କୃତିକୁ ବିଦେଶ ମାଟିରେ ପହଞ୍ଚାଇବାର ଏହି ପ୍ରୟାସ ଆଗାମୀ ପିଢ଼ିକୁ ପ୍ରେରଣା ଦେବା ସହ ସମ୍ବଲପୁରୀ ସଂସ୍କୃତିର ଗୌରବକୁ ଆହୁରି ବଢ଼ାଇବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.