pakka

ମନ୍ଦିର ଉନ୍ନତିକରଣରେ ବଲାଙ୍ଗିରକୁ ଅଣଦେଖା କରାଯାଉଥିବା ନେଇ ସାମ୍ବାଦିକ ସମ୍ମିଳନୀ : ଆନ୍ଦୋଳନ ଧମକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଯାଦବ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବ୍ୟାପୀ ଦେବାଳୟମାନଙ୍କ ଉନ୍ନତିକରଣ କରାଯାଉଥିବା ବେଳେ ବଲାଙ୍ଗିରର ଦେବାଳୟମାନଙ୍କୁ ପାତର ଅନ୍ତର କରାଯାଉଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଦେବାଳୟ ସୁରକ୍ଷା କମିଟିର ଆବାହକ ପ୍ରଶାନ୍ତ ମହାକୁର, ସୂଚନାକର୍ମୀ ଶମ୍ଭୁ ପ୍ରସାଦ ଶତପଥି, ସିନିୟର ସିଟିଜନ ସଭାପତି ପ୍ରଭାକର ମିଶ୍ର, ସମଲେଇ ମନ୍ଦିରର ଆଳତି କମିଟିର ସଭାପତି ବିକାଶ ସା’ ସୂଚନା ପ୍ରଦାନ କରିଛନ୍ତି । ସମ୍ମିଳନୀରେ ଆହୁରି କୁହାଯାଇଛି ଯେ, ଐତିହ୍ୟ ସମ୍ପନ୍ନ ବଲାଙ୍ଗିର ସହରରେ ଭକ୍ତଙ୍କ ଭକ୍ତିରେ ଅଭାବ ନାହିଁ । କିନ୍ତୁ ପ୍ରଶାସନିକ ଅବହେଳା ଦେଖାଦେଇଛି । ଦିନେ କି ଦୁଇ ଦିନ ନୁହେଁ, ବର୍ଷ ବର୍ଷ ଧରି ଅବହେଳା କରାଯାଉଛି । ଯାହାର ନଗ୍ନ ଉଦାହରଣ ବଲାଙ୍ଗିର ଦେବୋତ୍ତର ବିଭାଗ ଅଧୀନରେ ଥିବା ପ୍ରମୁଖ ଦେବାଳୟ । ଏହି ଦେବାଳୟ ଗୁଡ଼ିକର ଅବସ୍ଥା ଆଦୌ ଠିକ୍‌ ନାହିଁ । ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଗୋପାଲଜୀ ମନ୍ଦିରର ଉନ୍ନତି ପାଇଁ ୪ଟି ପ୍ରସ୍ତାବ ଯାଇଥିଲା । ଏହାର ଏଷ୍ଟିମେଟ୍‌ ୧୭ ଲକ୍ଷ ୮୦ ହଜାର ୨୭୪ ଟଙ୍କା ଥିଲା । ଏଥିରେ ମନ୍ଦିର ପୂଜାରୀଙ୍କ ଆବାସିକ ଘର ନିର୍ମାଣ ପାଇଁ ୪ ଲକ୍ଷ ୮୨ ହଜାର ୮୨ ଟଙ୍କା, ମନ୍ଦିରର ଭିତର ବାହାରର ବିଭିନ୍ନ କାର୍ଯ୍ୟ ପାଇଁ ୨ ଲକ୍ଷ ୯୯ ହଜାର ୬୩୨ ଟଙ୍କା, ୪ ଲକ୍ଷ ୯୮ ହଜାର ୯୩୬ ଟଙ୍କା ଓ ୪ ଲକ୍ଷ ୯୯ ହଜାର ୫୯୭ ଟଙ୍କା ବିଭିନ୍ନ କାର୍ଯ୍ୟ ପାଇଁ ଏଷ୍ଟିମେଟ୍‌ କରାଯାଇଥିଲା । ଏହା ହେଉଛି ୨୦୨୨ ମସିହା ଜୁଲାଇ ୧୫ ତାରିଖରେ ଦିଆଯାଇଥିବା ପ୍ରସ୍ତାବ । ମା’ ପାଟଣେଶ୍ୱରୀ ମନ୍ଦିରର ମରାମତି କାର୍ଯ୍ୟ ପାଇଁ ୩ ଟି ପ୍ରସ୍ତାବ ଯାଇଥିଲା । ଏଥିରେ ସିସି ଫ୍ଲୋରିଂ, ପେଟିଂ ଓ ଏସ୍‌ଏସ୍‌ ରେଲିଂ ପାଇଁ ୪ ଲକ୍ଷ ୮୯ ହଜାର ୩୮୪ ଟଙ୍କା, ଷ୍ଟିଲ କଲର ସିଟ୍‌ ରୁଫିଙ୍ଗ ପାଇଁ ୮୬ ହଜାର ୧୦୨ ଟଙ୍କା ଓ ମନ୍ଦିରର ଝରକା, କବାଟ ଓ ପାକିଂ ଅଂଚଳରେ ପେଭର ବ୍ଲକ ପାଇଁ ୪ ଲକ୍ଷ ୮୬ ହଜାର ୩୧୨ ଟଙ୍କା ଏଷ୍ଟିମେଟ୍‌ ଗତ ୨୦୨୨ ମସିହା ଜୁନ୍‌ ୧୬ ତାରିଖରେ ଉପଜିଲ୍ଲାପାଳ ଦେବୋତ୍ତର କମିଶନରଙ୍କୁ ଏଷ୍ଟିମେଟ୍‌ ପ୍ରସ୍ତାବର ମଞ୍ଜୁରୀ ପାଇଁ ଦେଇଥିଲେ । କିନ୍ତୁ ସବୁକିଛି ଫାଇଲରେ ପଡିରହିଛି । ସେହିପରି ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ୧୦ ଲକ୍ଷ ଟଙ୍କାର ଏପ୍ରୋଭାଲ ହେଲା ବୋଲି ଚିଠି କରି କୁହାଗଲା । କିନ୍ତୁ ସେହି ଟଙ୍କାରେ ସେଭଳି କିଛି ଆଖି ଦେଖାଗଲା ଭଲି କାର୍ଯ୍ୟ କରାଗଲା ନାହିଁ । ତେବେ ବଲାଙ୍ଗିର ଦେବୋତ୍ତର ବିଭାଗ ତରଫରୁ ଯେଉଁ ପ୍ରସ୍ତାବ ଗୁଡ଼ିକ ମଞ୍ଜୁରୀ ପାଇଁ ପଠାଯାଉଛି ତାକୁ କାହିଁକି ଗୁରୁତ୍ୱ ପ୍ରଦାନ କରାଯାଉନାହିଁ? ବଲାଙ୍ଗିର ଦେବୋତ୍ତର ବିଭାଗ ଦେବୋତ୍ତର ସମ୍ପତିରୁ ଲକ୍ଷାଧିକ ଟଙ୍କା ରାଜସ୍ୱ ପାଉଛି । ସେହି ଟଙ୍କା ଯାଉଛି କୁଆଡେ? ସେ ସବୁ କେଉଁଠି ଖର୍ଚ୍ଚ କରାଯାଉଛି? ଏହା କେବଳ ଆମ ପ୍ରଶ୍ନ ନୁହେଁ,ବଲାଙ୍ଗିରବାସୀଙ୍କ ପ୍ରଶ୍ନ । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଅପ୍ରସ୍ତୁତ ଦେବୋତ୍ତର ବିଭାଗ । ବର୍ଷା ଦିନରେ ମନ୍ଦିରଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡେ । ଏହା ସମସ୍ତେ ଦେଖିଛନ୍ତି, ସମସ୍ତେ ଜାଣିଛନ୍ତି । ପ୍ରଶାସନ ମଧ୍ୟ ଅବଗତ ଅଛି । ହେଲେ ଦିନ ପରେ ଦିନ, ମାସ ପରେ ମାସ ଗଡୁଛି । କିନ୍ତୁ ଦେବାଳୟ ଗୁଡ଼ିକର ବିକାଶ କାହିଁକି ହେଉନାହିଁ? ସାରା ରାଜ୍ୟରେ ୫ଟି ସଚିବ ଦେବାଳୟ, ମନ୍ଦିରର ଗୁଡ଼ିକ ପରିଭ୍ରମଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମନ୍ଦିରଗୁଡ଼ିକର ସୁରକ୍ଷା ଓ ବିକାଶ କରୁଥିବା କଥା କହୁଛନ୍ତି । କିନ୍ତୁ ଆମ ବଲାଙ୍ଗିର ସହରର ମନ୍ଦିରଗୁଡ଼ିକୁ କାହିଁ ହତାଦର କରାଯାଉଛି? ଏଠାକାର ନିର୍ବାଚିତ ଜନ ପ୍ରତିନିଧି ଚିଠି ଲେଖି ଦେଇ ଚୁପ୍‌ ରହୁଥିବା ବେଳେ ବଲାଙ୍ଗିରରୁ ରାଜଧାନୀ ଗଲେ ଭୁଲିଯାଆନ୍ତି । ବିକାଶର ସ୍ୱପ୍ନ ଦେଖାଉଥିବା ନେତାମାନେ ମଧ୍ୟ ମା’ଙ୍କ ମନ୍ଦିର ବିକାଶରେ ନିରବ । ଏହା ବଲାଙ୍ଗିରର ଦୁର୍ଭାଗ୍ୟ ଯେ, ଆମେ ଏଭଳି ନେତାଙ୍କୁ ଚୟନ କରିଛୁ । ଆମେ ଆଜି ଆହ୍ୱାନ ଦେଉଛୁ ୫ଟି ସଚିବ ବଲାଙ୍ଗିର ପରିଭ୍ରମଣରେ ଆସନ୍ତୁ । ମନ୍ଦିର ଗୁଡ଼ିକୁ ଥରେ ଦେଖିକରି ଯାଆନ୍ତୁ । ଏହା ସହ ରାଜ୍ୟ ସରକାରଙ୍କଠାରେ ଦାବୀ ରଖୁଛୁ ଯେ, ମନ୍ଦିରର ଅର୍ଥ ମନ୍ଦିରର ଉନ୍ନତିରେ ବିନିଯୋଗ କରାଯାଉ । ମନ୍ଦିରର ଟଙ୍କା ସରକାର କି ସରକାରୀ ବାବୁମାନେ ଖାଇବାକୁ ଚେଷ୍ଟା କରନ୍ତୁ ନାହିଁ । ମନ୍ଦିରର ଟଙ୍କା ଖାଇଲେ ବଲାଙ୍ଗିରବାସୀ ବରଦାସ୍ତ କରିବେ ନାହିଁ । ପୂର୍ବରୁ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଦାବୀପତ୍ର ଦେଇ ସାରିଛୁ । ବର୍ଷା ପୂର୍ବରୁ ଦେବାଳୟ ଗୁଡ଼ିକର ସୁରକ୍ଷା କରାଯାଉ । ନଚେତ୍‌ ଦେବାଳୟ ସୁରକ୍ଷା କମିଟି ଆନ୍ଦୋଳନ ପନ୍ଥା ଆପଣାଇବାକୁ ବାଧ୍ୟ ହେବ । ଏଥିପାଇଁ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ ।

jay balangir
Leave A Reply

Your email address will not be published.

3 × two =