om academy

ନବନିର୍ବାଚିତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧିତ କଲା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବା । ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ଜଳସେଚନ କ୍ଷେତ୍ରରେ ବଲାଙ୍ଗିରକୁ ଏକନମ୍ଵର ଜିଲ୍ଲା ଭାବରେ ପରିଣତ କରିବା । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଏହି କଥାକୁ ଦୋହରାଇଛନ୍ତି ବଲାଙ୍ଗିର ଜିଲ୍ଲାର ନବନିର୍ବାଚିତ ବିଧାୟକ ମାନେ । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବଲାଙ୍ଗିର ଜିଲ୍ଲାର ନବନିର୍ବାଚିତ ବିଧାୟକ ଓ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଂଜ ସଂଯୋଜନା କରିଥିଲେ । ଲୋଇସିଂହା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଟିଟିଲାଗଡ଼ ବିଧାୟକ ନବୀନ ଚନ୍ଦ୍ର ଜୈନ ଓ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୋମେଣ୍ଟୋ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ପାଟଣାଗଡ଼ ବିଧାୟକ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଦଳୀୟ କାମରେ ଦିଲ୍ଲୀ ଯାଇଥିବାରୁ ସେମାନେ ସମ୍ବର୍ଦ୍ଧନା ସଭାରେ ଅନୁପସ୍ଥିତ ଥିଲେ । ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସମାରୋହରେ ବଲାଙ୍ଗିର ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.