jayashree

ଗାଈବାହାଲର ଅର୍ଡାରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ

  • ମନରେଗା ଶ୍ରମିକଙ୍କୁ କାମ ଦିଅନ୍ତୁ ସରକାର ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକଙ୍କ ଜୀବନ ଜୀବିକା ତଥା ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ମନରେଗା ଯୋଜନାର ଲକ୍ଷ୍ୟ । ଏହି ଯୋଜନାରେ ଅତି କମ୍‌ରେ ୧୦୦ ଶ୍ରମ ଦିବସ କାମ ସରକାର ପ୍ରଦାନ କରିବେ । ଯଦ୍ୱାରା କି ଲୋକଙ୍କର ସାମାଜିକ ସୁରକ୍ଷା ଓ ଜୀବିକା ସୁରକ୍ଷିତ ରହିବ । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଗାଈବାହାଲ ପଂଚାୟତରେ ଫେଲ ମାରିଛି । ଏହି ପଂଚାୟତରେ ଅନେକ ଲୋକ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ହେଁ ପ୍ରଶାସନ ଏମାନଙ୍କୁ କାମ ଯୋଗାଉ ନାହିଁ । ଶ୍ରମିକ ଓ ସାମାଜିକ ସୁରକ୍ଷା କଥା କହୁଥିବା ଡବଲ ଇଞ୍ଜିନ ସରକାର ଗ୍ରାମ୍ୟ ଅର୍ଥନୀତିର ବିକାଶ ପାଇଁ ତୁରନ୍ତ ଗାଁ ଲୋକଙ୍କୁ ମନରେଗା ଯୋଜନା ମାଧ୍ୟମରେ ଶୀଘ୍ର କାମପ୍ରଦାନ କରନ୍ତୁ ବୋଲି ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଈବାହାଲ ପଂଚାୟତର ଅର୍ଡା ଗାଁରେ ଜନସାଧାରଣଙ୍କ ସମସ୍ୟା ଶୁଣି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅର୍ଡା ଗାଁବାସୀଙ୍କ ଦ୍ୱାରା ଆୟୋଜିତ ଏହି ସଭାରେ ଗାଁ ତରଫରୁ ଶ୍ରୀ ମିଶ୍ରଙ୍କ ଆଗରେ ଅନେକ ଦାବି ତଥା ଅଭିଯୋଗ ରଖାଯାଇଥିଲା । ଗାଁ ତଥା ଆଖପାଖ ଅଂଚଳରେ ଅନେକ ଛାତ୍ରଛାତ୍ରୀ ଅଛନ୍ତି । କିନ୍ତୁ ସ୍କୁଲ ଜମି ସ୍କୁଲ ନାଁ ରେ ନ ଥିବାରୁ ସ୍କୁଲର ଉନ୍ନତି ପାଇଁ କୌଣସି ଅନୁଦାନ ଆସିପାରୁନାହିଁ । ଯଦିଓ ୪୦ ବର୍ଷ ପୂର୍ବରୁ ଗାଁର ବଦାନ୍ୟ ବ୍ୟକ୍ତି ସ୍କୁଲ ପାଇଁ ସ୍କୁଲ ପ୍ରଦାନ କରିଛନ୍ତି କିନ୍ତୁ ତା’ ପାଇଁ ଦରକାର ହେଉଥିବା କଲମ-୨ ପ୍ରକ୍ରିୟା କାମ ହୋଇପାରୁନାହିଁ । ଗାଁ ଲୋକେ ବାରମ୍ବାର ତହସିଲକୁ ଯାଇ ନିରାଶ ହୋଇ ଫେରୁଛନ୍ତି ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଲୋକେ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ଯଦି ଦାତା ଯେହେତୁ ଜମି ହସ୍ତାନ୍ତର ପାଇଁ ରାଜି ଅଛନ୍ତି ତେଣୁ ଯେତେ ଶୀଘ୍ର ହେବ ସରକାରଙ୍କ ନାଁରେ ଏହି ଜମି ସ୍ଥାନାନ୍ତର କରାଯିବା ପାଇଁ ସେ ନିଜେ ପଦକ୍ଷେପ ନେବେ ଏବଂ ଏ ଅଂଚଳର ସାମଗ୍ରିକ ବିକାଶ ପାଇଁ ଏହି ସ୍କୁଲ ପାଇଁ ଅନୁଦାନ ନିଶ୍ଚିତ ଅଣାଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଗାଁର ମହିଳାମାନେ ପିଇବା ପାଣି ତଥା ଗାଧୋଇବା ଓ ନିତ୍ୟ ବ୍ୟବହାର୍ଯ୍ୟ ପାଣି ଅସୁବିଧାକୁ ନେଇ ବାରିଯୋର ଉପରେ ଏକ ଚେକ ଡେମ ନିର୍ମାଣ ପାଇଁ ଦାବି କରିଥିଲେ । ଏହି ଦାବିକୁ ମଧ୍ୟ ଶ୍ରୀ ମିଶ୍ର କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ସହ କଥା ହୋଇ ବାରିଯୋର ଉପରେ ଚେକଡେମ ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗାଁରୁ ଏକ ଦଳ ଲୋ ଭୋଲଟେଜ ସମସ୍ୟାକୁ ନେଇ ଶ୍ରୀ ମିଶ୍ରଙ୍କ ଆଗରେ ଏକ ସପ୍ତାହ ପୂର୍ବରୁ ଅଭିଯୋଗ କରିଥିଲେ । ଯେଉଁଥିପାଇଁ ଶ୍ରୀ ମିଶ୍ର ବିଜୁଳି ବିଭାଗ ଯନ୍ତ୍ରୀଙ୍କ ସହ କଥା ହୋଇ ୧୦୦ କେଭି ସମ୍ପନ୍ନ ଟ୍ରାନ୍ସଫରମରକୁ ଦୁଇ ଗୁଣ କିମ୍ବା ତାଠୁ ଅଧିକ କ୍ଷମତା ସମ୍ପନ୍ନ ଏକ ଟ୍ରାନ୍ସଫରମର ପ୍ରଦାନର ବ୍ୟବସ୍ଥା କରିଥିଲେ । ସେ ଟ୍ରାନ୍ସଫରମର ସ୍ଥାପନ କାମ ଆରମ୍ଭ ହୋଇଯାଇଥିବାରୁ ଗାଁବାସୀମାନେ ଶ୍ରୀ ମିଶ୍ରଙ୍କ ଆଗରେ କୃତଜ୍ଞତା ଜ୍ଞାପନ କରିଥିଲେ । ତା’ ସହ କିଛି ଗ୍ରାମ୍ୟ ରାସ୍ତା ଓ ଷ୍ଟ୍ରିଟ ଲାଇଟ ମରାମତି ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସଭାରେ ଆଲୋଚନା ହୋଇଥିଲା । ଅର୍ଡା ନିବାସୀ କାହ୍ନୁ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଶୁଶାନ୍ତ ବିଶ୍ୱାଳ, ଅନି ମାଝି, ସମ୍ବିଦ ଭୋଇ, ଅସି ଭୋଇ, ସୁମନ୍ତ ସାମଲ, ରିଙ୍କୁ ସୁନା, ଭିକାରୀ ଚରଣ ପ୍ରଧାନ, ଆର୍ତ୍ତ ଘିଭେଲା, ଧନଞ୍ଜୟ କରନ, ବ୍ଲକ ସଭାପତି ରାମଜୀ ଚୌଧୁରି, କାନ୍ତେଶ୍ୱର ପ୍ରଧାନ, ପପୁ ପାତ୍ର ଓ ମଦନ ସାହୁଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.