jayashree

‘ଗଣ ଇସ୍ତାହାର’ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ

  • ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ

ବରଗଡ଼, (ନିରୋଜ କୁମାର ପାଣୀ) : ଖବରକାଗଜର ପୃଷ୍ଠାରେ ମୁଦ୍ରିତ ଶବ୍ଦର ଆୟୁଷ ହୁଏତ ଗୋଟିଏ ଦିନ ହୋଇପାରେ, କିନ୍ତୁ ସତ୍ୟନିଷ୍ଠ ସାମ୍ବାଦିକତା, ସମାଜ ପ୍ରତି ଦାୟିତ୍ୱବୋଧ ଓ ମଣିଷ ପ୍ରତି ଆନ୍ତରିକତାର ମୂଲ୍ୟ କାଳର ସୀମା ଅତିକ୍ରମ କରେ ବୋଲି ବରଗଡ଼ରୁ ପ୍ରକାଶିତ ସାପ୍ତାହିକ ‘ଗଣ ଇସ୍ତାହାର’ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହରେ ବକ୍ତାଗଣ ମତପ୍ରକାଶ କରିଥିଲେ । ବରଗଡ଼ ମହିଳା ସମିତି ସଭାଗୃହରେ ‘ଗଣ ଇସ୍ତାହାର’ ଟ୍ରଷ୍ଟର ଚେୟାରମେନ ଡ. ପ୍ରଦୀପ କୁମାର ହୋତାଙ୍କ ସଭାପତିତ୍ୱରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ସମାରୋହରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ ମୁଖ୍ୟବକ୍ତା ଏବଂ ବୈଦ୍ୟରାଜ ପବିତ୍ର ଶବର ଓ ସାମ୍ବାଦିକ ବାଲାଜୀ ବିଭୂରଞ୍ଜନ ତରସିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ସାହୁ କହିଥିଲେ ଯେ, ଗୋଟିଏ ସମ୍ବାଦର ମୂଲ୍ୟ କେବଳ ତାହାର ଚର୍ଚ୍ଚିତ ହେବାରେ ନୁହେଁ ବରଂ ତାହାର ବିଶ୍ୱସନୀୟତା ଓ ଜନସ୍ୱାର୍ଥ ସହ ଥିବା ସମ୍ପର୍କରେ ନିହିତ । ଖବର ଯେତେ ଆକର୍ଷଣୀୟ ହେଉନା କାହିଁକି, ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ବିନା ସାମ୍ବାଦିକତା ତାହାର ନୈତିକ ଭିତ୍ତି ହରାଇଦିଏ । ସାମ୍ବାଦିକତା କେବଳ ଘଟଣା ଲିପିବଦ୍ଧ କରିବାର ବୃତ୍ତି ନୁହେଁ ଏହା ସତ୍ୟ, ବିବେକ ଓ ଦାୟିତ୍ୱବୋଧ ମଧ୍ୟରେ ନିରନ୍ତର ସନ୍ତୁଳନ ରକ୍ଷା କରିବାର ଏକ କଠିନ ସାଧନା ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତ ଖବର କାଗଜକୁ ଅପେକ୍ଷା କରିବା କେବଳ ଖବର ପଢ଼ିବାର ଆଗ୍ରହ ନୁହେଁ ନିଜ ଅଞ୍ଚଳର ଖବର, ନିଜ ମାଟିର ସ୍ୱର ଓ ନିଜ ସମାଜର ସ୍ପନ୍ଦନକୁ ଜାଣିବାର ଏକ ଆତ୍ମୀୟ ସମ୍ପର୍କ ଥିଲା । ଯାହାକି ଆଜିର ଡିଜିଟାଲ ଯୁଗରେ ସେହି ଦୃଶ୍ୟ ହୁଏତ ଅତୀତ ହୋଇଯାଇଛି, କିନ୍ତୁ ପାଠକଙ୍କ ସହ ସେହି ବିଶ୍ୱାସର ସମ୍ପର୍କ ହିଁ ସବୁଠାରୁ ବଡ଼ ସମ୍ପଦ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ପ୍ରସଙ୍ଗରେ ସେ ବାଲକୋ ହଟାଓ ଆନ୍ଦୋଳନ ସମୟର ସାମ୍ବାଦିକତାକୁ ସ୍ମରଣ କରି କହିଥିଲେ ଯେ, ଉତ୍ତେଜନାପୂର୍ଣ୍ଣ ସମୟରେ ଗଣମାଧ୍ୟମର ପ୍ରକୃତ ପରୀକ୍ଷା ହୁଏ । ସେତେବେଳେ ସମ୍ବାଦପତ୍ର ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସଂଯମ ରକ୍ଷା କରି ତଥ୍ୟକୁ ପରିବେଷଣ କରିବା । ଦୀର୍ଘସ୍ଥାୟୀ ବିଶ୍ୱାସର ଭିତ୍ତି ଗଢ଼ିଉଠେ ଚମକପୂର୍ଣ୍ଣ ଶୀର୍ଷକରେ ନୁହେଁ, ବରଂ ତଥ୍ୟ ପ୍ରତି ଦାୟିତ୍ୱବୋଧ ଓ ସମ୍ପାଦକୀୟ ସନ୍ତୁଳନରେ ବୋଲି କହିଥିଲେ । ଏହି ଅବସରରେ ସମାଜର ବରଗଡ଼ ଜିଲ୍ଲା ପ୍ରତିନିଧି ବାଲାଜୀ ବିଭୁରଞ୍ଜନ ତରସିଆଙ୍କୁ ‘ଶିତିକଣ୍ଠ ପଟ୍ଟଯୋଶୀ ସାମ୍ବାଦିକ ସମ୍ମାନ’, କଳାହାଣ୍ଡି ଟୋଲ ବ୍ରାହ୍ମଣୀର ବୈଦ୍ୟରାଜ ପବିତ୍ର ଶବରଙ୍କୁ ଶିତିକଣ୍ଠ ପଟ୍ଟଯୋଶୀ ସେବା ସମ୍ମାନ, ବରଗଡ଼ ମହିଳା ସମିତିକୁ ସମାଜସେବା ଓ ନାରୀ ସଶକ୍ତିକରଣ ସମ୍ମାନ, ରଞ୍ଜନ କୁମାର ପଣ୍ଡା ଓ ଐତିହାସିକ – ଗବେଷକ ପ୍ରାଧ୍ୟାପକ ଜଗଦୀଶ ମିଶ୍ରଙ୍କୁ ଲେଖକ ଜ୍ୟୋତି ସମ୍ମାନ, ଓମ୍ ପ୍ରକାଶ ପଣ୍ଡାଙ୍କୁ ଉଦୀୟମାନ ଲେଖକ ସମ୍ମାନ ଏବଂ ରତ୍ନମଣି ଶତପଥୀ ଓ ନିରୋଜ କୁମାର ପାଣୀଙ୍କୁ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମ ଶତ ବାର୍ଷିକୀ ବର୍ଷ ଉପଲକ୍ଷେ ସମର୍ପିତ ‘ଗଣ ଇସ୍ତାହାର’ର ସ୍ଵନକ୍ଷତ୍ର ବିଶେଷାଙ୍କକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ପତ୍ରିକାର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ, ସାହିତ୍ୟିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.