
ରାଉରକେଲା, (କେପିଏନ୍ଏସ୍) : ରାଉରକେଲା ସେକ୍ଟର-୧୯ ଥାନା ପୋଲିସ ସହରରେ ଘଟିଥିବା କ୍ରମାଗତ ୬ଟି ଛିନତାଇ ଓ ୩ଟି ଚୋରି ଘଟଣାର ସଫଳ ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ନାବାଳକଙ୍କୁ ଅଟକ ରଖିଛି। ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ୮ଟି ଛିନତାଇ ହୋଇଥିବା ମୋବାଇଲ୍ ଫୋନ୍, ୧୫,୯୦୦ ଟଙ୍କା ନଗଦ ଏବଂ ଅନ୍ୟାନ୍ୟ ଲୁଟ୍ ସାମଗ୍ରୀ ଜବତ କରିଛି। ଏହି ଘଟଣା ସେକ୍ଟର-୧୯ ଥାନା କେସ୍ ନଂ-୧୬୧, ତାରିଖ ୨୯ ଜୁଲାଇ ୨୦୨୬ ସହ ସମ୍ପୃକ୍ତ। ପ୍ରଥମେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୪(୨) ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ, ପରବର୍ତ୍ତୀ ତଦନ୍ତ ପରେ ଏହାକୁ ଧାରା ୩୦୯(୪)/୩(୫) ବିଏନଏସ୍ରେ ପରିବର୍ତ୍ତନ କରାଯାଇଛି। ପୋଲିସ ସୂଚନା ଅନୁସାରେ, ୨୯ ଜୁଲାଇ ଅପରାହ୍ନ ପ୍ରାୟ ୨ଟା ସମୟରେ ବିସ୍ରା ଥାନା ଅନ୍ତର୍ଗତ ସରେଇଟୋଲି ଗ୍ରାମର ସୁକୋ ଓରାମ (୫୦) ବ୍ୟାଙ୍କ ଅଫ୍ ଇଣ୍ଡିଆର ସେକ୍ଟର-୧୯ ଶାଖାରୁ ୪,୦୦୦ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଟଙ୍କାକୁ ସେ ନିଜ ଭ୍ୟାନିଟି ବ୍ୟାଗରେ ରଖିଥିଲେ। ବ୍ୟାଙ୍କ ନିକଟ ରାସ୍ତାରେ ଏକ ମୋଟରସାଇକେଲରେ ଆସିଥିବା ତିନି ଜଣ ଯୁବକ ହଠାତ୍ ତାଙ୍କ ହାତରୁ ଭ୍ୟାନିଟି ବ୍ୟାଗ ଛଡ଼ାଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ବ୍ୟାଗ ଭିତରେ ୪,୧୦୦ ଟଙ୍କା ନଗଦ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିଲା। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ସେକ୍ଟର-୧୯ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୈଜ୍ଞାନିକ ତଦନ୍ତ, ସିସିଟିଭି ଫୁଟେଜ୍ ଓ ବିଭିନ୍ନ ସୂତ୍ରରୁ ସୂଚନା ସଂଗ୍ରହ କରି ପୋଲିସ ସିରିଜ୍ ଛିନତାଇ ଏବଂ ଚୋରି ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଥିଲା। ଏହାପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଦୁଇ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି। ପୋଲିସ ଜବତ କରିଥିବା ସାମଗ୍ରୀ ମଧ୍ୟରେ ୮ଟି ମୋବାଇଲ୍ ଫୋନ୍, ୧୫,୯୦୦ ଟଙ୍କା ନଗଦ ଏବଂ ବିଭିନ୍ନ ଲୁଟ୍ ସାମଗ୍ରୀ ରହିଛି। ଏହି ଗ୍ୟାଙ୍ଗର ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।