ସମାଜସେବୀଙ୍କ ଟ୍ୱିଟ ପରେ ବେସାହାରା ଭାଇଭଉଣୀଙ୍କ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ଗାଁରେ ତିନିଜଣ ବେସାହାରା ଭାଇଭଉଣୀ ରହୁଥିଲେ । ପରିସ୍ଥିତି ଅତି ଖରାପ ହେତୁ ସେମାନେ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଥିଲେ । ସରକାରୀ ସହାୟତା କହିଲେ ମା’ଙ୍କ ରାସନ କାର୍ଡରେ ୨୦ କିଲୋ ମିଳୁଛି । ଦୁଇଭାଇ ଅନନ୍ତ ମଳିକ ଓ ବିଶ୍ରାମ ମଳିକ ପାଠ ପଢ଼ିବାର ଇଛା ଥିଲେ ମଧ୍ୟ ଆର୍ଥିକ ଅସୁବିଧା ହେତୁ ସେମାନେ ପଢି ପାରୁନଥିଲେ । ଦୁଇ ଭାଇଙ୍କୁ ମଣିଷ କରିବା ପାଇଁ ବଡ଼ ଭଉଣୀ ଅନତି ମଳିକ ବିଲରେ କାମ କରନ୍ତି ବୋଲି କିଛିଦିନ ତଳେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ସମସ୍ୟା ବିଷୟରେ କଳାହାଣ୍ଡିର ସମାଜସେବୀ ଯଶୋବନ୍ତ ରଣା ଜାଣିବା ପରେ ଗଜପତି ଜିଲ୍ଲାପାଳ, ଶିଶୁ ସୁରକ୍ଷା ସମିତି ଗଜପତି, ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟ୍ୱିଟରରେ ଅଭିଯୋଗ କରି ସେମାନଙ୍କୁ ଥଇଥାନ କରିବା ପାଇଁ ନିବେଦନ କରିଥିଲେ । ଏହାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶରେ ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପିଲାମାନଙ୍କ ଗାଁରେ ପହଂଚି ସରପଞ୍ଚ, ଆଶା ଦିଦି, ଅଙ୍ଗନବାଡି ଦିଦି ଓ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ସେମାନେ କେଉଁଠି ପଢିବେ ତାହା ଆଲୋଚନା କରିଥିଲେ । ଶିଶୁ ମଙ୍ଗଳ ସମିତିକୁ ସେମାନଙ୍କୁ ହସ୍ତାନ୍ତର କଲା ପରେ ବଡ଼ ଝିଅ ଅନତିକୁ ମୋହନା ସ୍ଥିତ କସ୍ତୁରବା ଛାତ୍ରୀ ନିବାସ ଓ ଦୁଇ ଭାଇଙ୍କୁ ଏକ ଛାତ୍ର ନିବାସରେ ରହି ପାଠ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ଗଜପତି ଜିଲ୍ଲାପାଳ ସମାଜସେବୀ ଶ୍ରୀ ରଣାଙ୍କୁ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ଟ୍ୱିଟ ପରେ ଶିଶୁମାନେ ଥଇଥାନ ହେବା ଜାଣି ଶ୍ରୀ ରଣା ବହୁତ ଖୁସି ହୋଇଛନ୍ତି ଓ ଗଜପତି ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଏହିପରି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

four + two =