
- ଆଧ୍ୟାତ୍ମିକ ଚେତନାରେ ମୁଖରିତ ମହିମା ଆଶ୍ରମ : ‘ମହିମା ଜ୍ୟୋତି’ ପୁସ୍ତକ ଉନ୍ମୋଚିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିମା ଧର୍ମର ମହାନ ଦର୍ଶନ, ଆଧ୍ୟାତ୍ମିକ ଚେତନା ଓ ସମାଜ ସଂସ୍କାରର ବାର୍ତ୍ତାକୁ ନେଇ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମ ପରିସରରେ ଗୁରୁବାର ଏକ ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସାଧୁସନ୍ଥ, ମହିମା ଧର୍ମାବଲମ୍ବୀ, ଭକ୍ତ, ଶିକ୍ଷାବିତ୍, ସାହିତ୍ୟିକ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ଶ୍ରଦ୍ଧାଳୁଙ୍କ ସମାଗମରେ ଆଶ୍ରମ ପରିସର ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ଅବସରରେ ଦ୍ଵି ଦିବସୀୟ ଯଜ୍ଞ ତଥା ମହିମା ମହାପ୍ରଭୁଙ୍କ ବାର୍ଷିକ ନବାନ୍ନ ମହୋତ୍ସବ ଆୟୋଜିତ ହେଉଛି । ଏହି ଅବସରରେ ଆଶ୍ରମ ପରିସରରେ ଏକ ଧାର୍ମିକ ସଭା ଆୟୋଜିତ ହୋଇଥିଲା । ମହିମା ଧର୍ମର ମାନବବାଦୀ ଦର୍ଶନ, ସତ୍ୟ, ତ୍ୟାଗ, ସଂଯମ ଓ ସମାନତାର ବାର୍ତ୍ତାକୁ ସମାଜରେ ଅଧିକ ବ୍ୟାପକ କରିବା ନେଇ ଏହି ଧାର୍ମିକ ସମାବେଶରେ ବିସ୍ତୃତ ଆଲୋଚନା ହୋଇଥିଲା । ମହିମା ଧର୍ମ କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ମାନବୀୟ ମୂଲ୍ୟବୋଧ, ସାମାଜିକ ସମାନତା ଓ ଆତ୍ମଶୁଦ୍ଧିର ଏକ ମହାନ ଜୀବନଦର୍ଶନ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସଭାରେ ସାଧୁ ନରସିଂହ ଦାସ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ସୁଶାନ୍ତ ମିଶ୍ର ସଭା ପରିଚାଳନା କରିଥିଲେ । ‘ସମ୍ବାଦ’ର ପ୍ରାଣପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିମା ଧର୍ମର ଆଧ୍ୟାତ୍ମିକ ଓ ସାମାଜିକ ଦର୍ଶନ ଉପରେ ଆଲୋକପାତ କରିଥିଲେ । ମଣିଷ ନିଜ ମାଆ, ମାଟିକୁ ସମ୍ମାନ ଦେଇ, ମନୋବଳ ଜାଗ୍ରତ କରିବା ଆବଶ୍ୟକ ରହିଛି । ନିଶା ଠାରୁ ଦୂରେଇବା ସହ ନିର୍ଭୀକ ଓ ନିରହଂକାରୀ ଜୀବନ ଯାପନ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ହିଁ ସମୟର ଆହ୍ୱାନ ବୋଲି ମୁଖ୍ୟ ଅତିଥି ଶ୍ରୀମାନ ପଟ୍ଟନାୟକ କହିଥିଲେ । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦାନ କରି ପ୍ରକୃତି ସୁରକ୍ଷା ସହିତ ଧର୍ମ ସଂସ୍କୃତିର ସୁରକ୍ଷା ଦିଗରେ ବକ୍ତବ୍ୟରେ ଗୁରୁତ୍ୱ ଆରୋପ କରିଥିଲେ । ସମାଜ ସଂସ୍କାର ପାଇଁ ସାଧୁ ନୃସିଂହ ଦାସଙ୍କ ନିଷ୍ଠା ଓ ସମର୍ପଣ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ସେହିପରି ନୂଆପଡ଼ାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡା ବରେଣ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମୁନି ମନିଶିଙ୍କ ସଂସ୍କୃତି ହିଁ ଭାରତୀୟ ସଂସ୍କୃତି ଅଟେ । ପ୍ରତିକୂଳ ପରିବେଶରୁ ସାଧନା କରୁଥିବା ଏଭଳି ସାଧୁ ସନ୍ଥ ହିଁ ପରିବର୍ତ୍ତନ ଆଣିବାରେ ସହାୟକ ହେବେ ବୋଲି କହିଥିଲେ । ସେହିପରି ଶିକ୍ଷାବିତ୍ ଡ. ବାଞ୍ଛାନିଧି ପଣ୍ଡା, ପ୍ରଫୁଲ୍ଲ ପାଣିଗ୍ରାହୀ, ଲେଖରାମ ଚନ୍ଦ୍ରକାର, ସନ୍ଦୀପ ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିମା ଧର୍ମର ମହତ୍ତ୍ୱ ଓ ଏହାର ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବାର ଆବଶ୍ୟକତା ଉପରେ ମତ ରଖିଥିଲେ । ଏହି ଅବସରରେ ମହିମା ଧର୍ମର ଭାବଧାରା ଓ ଆଧ୍ୟାତ୍ମିକ ଚେତନାକୁ ନେଇ ପ୍ରକାଶିତ ‘ମହିମା ଜ୍ୟୋତି’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପୁସ୍ତକଟି ମହିମା ଧର୍ମର ମହାନ ଚିନ୍ତାଧାରା, ଆଦର୍ଶ ଓ ଆଧ୍ୟାତ୍ମିକ ବାର୍ତ୍ତାକୁ ଜନ ମାନସରେ ପହଞ୍ଚାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଅତିଥିମାନେ ଅଭିହିତ କରିଥିଲେ । ବିରାଟ ଜନସମାଗମ ଓ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ସମାବେଶ ମହିମା ଧର୍ମର ଏକତା, ଆଧ୍ୟାତ୍ମିକ ଜାଗରଣ ଓ ସାମାଜିକ ସଂହତିର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଥିଲା । ସାଧୁ ନୃସିଂହ ଦାସ, ସାଧୁ ମାଖନ ଦାସଙ୍କ ସମେତ ସମସ୍ତ ଆଶ୍ରମ ବାସୀ, ସ୍ଥାନୀୟ ଅଞ୍ଚଳବାସୀ, ଭକ୍ତବୃନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।