
ଜୟପାଟଣା, (ଶେଷଦେବ ବେହେରା) : ଗତ ୨୩ ତାରିଖ ଦିନର ପ୍ରବଳ ବର୍ଷାରେ ପାହାଡ ଶିଖରରେ ସମସ୍ତ ପ୍ରତିକୂଳ ଅବସ୍ଥାରେ ଅବସ୍ଥାନ କରି ଆସୁଥିବା ନଲାଚୁଆଁ ଗ୍ରାମକୁ ସଂଯୋଗ କରୁଥିବା ଘାଟି ତଳର ସେତୁ ବନ୍ୟା ଜଳରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ବର୍ଷା ଚାରି ମାସ ଅଭିଶପ୍ତ ଜୀବନ ବିତାଉଥିବା ନଲାଚୁଆଁ ଗ୍ରାମର ୪୫ଟି ଆଦିବାସୀ ପରିବାରଙ୍କ ପାହାଡି ରାସ୍ତା ମଧ୍ୟ ଦାଉ ସାଧୁଛି । ସୂଚନାରୁ ପ୍ରକାଶ ଯେ, ସମୁଦ୍ର ପତ୍ତନରୁ ୨୦୦୦ଫୁଟ ଉର୍ଦ୍ଧରେ ରହିଥିବା ନଲାଚୁଆଁ ଗ୍ରାମ ପାଇଁ ସଂଯୋଗ ବ୍ୟବସ୍ଥା, ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଚାଲି ଥିଲେ ମଧ୍ୟ ସ୍ଥାୟୀ ବିକାଶ ଆଜିବି ସେହି ଅଂଚଳ ପାଇଁ ଦୁସ୍ଵପ୍ନ ପାଲଟିଛି । ଦୁଇଶହ ବର୍ଷରୁ ଉର୍ଦ୍ଧ ସମୟ ଧରି ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ ଅପହଞ୍ଚ ଇଲାକାର ପାହାଡ଼ ଉପରେ ନଲାଚୁଆଁ ଗାଁର ଭୌଗୋଳିକ ଅବସ୍ଥିତି ଏକ ଜଳ ଉତ୍ସକୁ ଆଧାର କରି ସ୍ୱାଧୀନତା ବହୁ ପୂର୍ବରୁ ସୃଷ୍ଟି ହୋଇଥିବାର ଏହି ପାହାଡିଆ ଗ୍ରାମର ସମସ୍ତେ ଆଦିବାସୀ ପରିବାର । ପଂଚାୟତ ସାଙ୍ଗରେ ସଂଯୋଗ ହେବା ଯେତେ କଷ୍ଟକର ସେହିଭଳି ଆଭ୍ୟନ୍ତରୀଣ କଷ୍ଟ ଦ୍ଵିଗୁଣିତ ହୋଇଯାଏ । ପଂଚାୟତ ମୁଖ୍ୟାଳୟକୁ ଅଭେଦ୍ୟ ରାସ୍ତା ଦେଇ ୧୨କିଲୋମିଟର ଅତିକ୍ରମ କରିବାକୁ ପଡ଼ିଥାଏ । ପରିଣତି ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା, ବିଜୁଳି ଆଲୋକ ଅନେକ କଷ୍ଟ ଦେଉଥିବାର ଲୋକେ ଅଭିଯୋଗ କରନ୍ତି । ସମସ୍ତ ପ୍ରତିକୂଳ ଅବସ୍ଥାକୁ ନିଜର ପ୍ରାପ୍ୟ ଭାବି ଜୀବନ ବିତାଉ ଥିବା ଲୋକଙ୍କ ପାଇଁ ଏବେ ସଂଯୋଗ ରାସ୍ତାରେ ନିର୍ମାଣ ହୋଇଥିବ ପୋଲ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ସ୍ଵାଭାବିକ ଯାତ୍ରାରେ ଅନେକ କଷ୍ଟ ଉଠାଇବାକୁ ପଡୁଥିବାର ଲୋକେ ପ୍ରକାଶ କରନ୍ତି । ପୂର୍ବରୁ ପ୍ରସୂତୀ ମାନଙ୍କ ଅନେକ ଯନ୍ତ୍ରଣା ଦାୟକ ଚିତ୍ର ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟି ସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନଲାଚୁଆଁ ଗ୍ରାମ ପ୍ରତି ସ୍ଥାୟୀ ପ୍ରତିକାର କରି ନ ଥିବା ଘଟଣା ସ୍ଥାନୀୟ ପଂଚାୟତ ଓ ବ୍ଲକ ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରି ସାରିଲାଣି । ଶହ ଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପଡ଼ି ରହିଥିବା ଏହି ପାହାଡି ଗ୍ରାମର ବିକାଶ ପାଇଁ ପ୍ରଶାସନ କେତେ ତତ୍ପରତା ଦେଖାଉଛି ତାହାହିଁ ଦେଖିବାର ବେଳ ଆସିଛି ।