
- ଅଞ୍ଚଳରେ ଶୋକାକୁଳ ପରିବେଶ, ବହୁ ରାଜନୈତିକ ନେତା, କର୍ମୀ ଓ ସମର୍ଥକଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ପୂର୍ବତନ ମୁଖ୍ୟ ସଚେତକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁ (୭୪)ଙ୍କ ପାର୍ଥିବ ଶରୀର ଗୁରୁବାର ତାଙ୍କ ଜନ୍ମମାଟି ମାଣ୍ଡୋସିଲରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ମାଣ୍ଡୋସିଲରେ ଲୋକଙ୍କ ଭିଡ଼ ଜମିଥିଲା । ରାଜନୈତିକ ନେତା, କର୍ମୀ, ସମର୍ଥକଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ହୋଇ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବୁଧବାର ଅପରାହ୍ନ ପ୍ରାୟ ୨ଟା ୧୦ମିନିଟରେ ସତ୍ୟଭୂଷଣ ସାହୁଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ରାଜ୍ୟ ରାଜନୀତିରେ ଶୋକର ବାତାବରଣ ସୃଷ୍ଟି ହୋଇଥିଲା । ତାଙ୍କ ବିୟୋଗରେ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳୀୟ ପତାକାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ସମେତ ବହୁ ରାଜନୈତିକ ନେତା, କଂଗ୍ରେସ କର୍ମକର୍ତ୍ତା, କର୍ମୀ ଓ ସମର୍ଥକ ଉପସ୍ଥିତ ରହି ଶୋକବ୍ୟକ୍ତ କରିଥିଲେ । ସତ୍ୟଭୂଷଣ ସାହୁଙ୍କୁ ଜଣେ ଲୋକପ୍ରିୟ ଓ ଜନସମ୍ପୃକ୍ତ ନେତା ଭାବେ ସ୍ମରଣ କରି ତାଙ୍କ ବିୟୋଗ କଂଗ୍ରେସ ଦଳ ସମେତ ପଦ୍ମପୁର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଥିଲେ । ଦୀର୍ଘ ରାଜନୈତିକ ଜୀବନରେ ସେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ନେଇ ଶୋକସଭାରେ ସ୍ମୃତିଚାରଣ କରାଯାଇଥିଲା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟିକା ବର୍ଷା ସିଂ ବରିହା, ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ । ଏହାପରେ ତାଙ୍କ ପାର୍ଥିବ ଶରୀରକୁ ସମ୍ବଲପୁର, ବରଗଡ଼, ସୋହେଲା, ପଦ୍ମପୁର, ପାଇକମାଲ ଓ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟକୁ ନିଆଯାଇଥିଲା । ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ, ସମର୍ଥକ ଓ ସାଧାରଣ ଲୋକ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷ ଦର୍ଶନରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା କଂଗ୍ରେସ ସଭାପତି ହରଦୀପ ସିଂ, ଉପସଭାପତି ମନୋଜ ତ୍ରିବାଦୀ, ପାଇକମାଲ ବ୍ଲକ କଂଗ୍ରେସ କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆ, ପଦ୍ମପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ, ନୂଆପଡା ଆଦିବାସୀ କଲ୍ୟାଣ ସଭାପତି ଘାସିରାମ ମାଝୀ, ବିନୋଦ କାଳିଆ, ବରଗଡ ସାମ୍ବାଦିକ ସଂଘର ରବି ନାରାୟଣ ପଣ୍ଡା, ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ବଡ ଶତପଥି, ପଶ୍ଚିମ ଓଡିଶା ଓ ଛତିଶଗଡ଼ କୁବେର ସମାଜ ସଭାପତି ଲକ୍ଷ୍ମଣ ସାହୁ ସମେତ ବରଗଡ ଜିଲ୍ଲାର ବହୁ ସଂଖ୍ୟାରେ ଜନସାଧାରଣ ଶ୍ମଶାନ ଘାଟରେ ଯୋଗ ଦେଇଥିଲେ । ଶେଷରେ ପାର୍ଥିବ ଶରୀର ମାଣ୍ଡୋସିଲରେ ପହଞ୍ଚିବା ପରେ ତାଙ୍କୁ ଶୋଭାଯାତ୍ରାରେ ବଡ଼ ଖେଳ ପଡ଼ିଆ ନିକଟକୁ ନିଆଯାଇ ପୁଲିସ ବିଭାଗ ପକ୍ଷରୁ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଅଶ୍ରୁଶିକ୍ତ ନୟନରେ ଶତାଧିକ ଲୋକ ତାଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ । ପ୍ରଶାସନ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବଡ଼ପୁଅ ଡାକ୍ତର ଜୟ ପ୍ରକାଶ ସାହୁ ମୁଖାଗ୍ନି ଦେଇଥିଲେ । ଏହା ସହିତ ଜଣେ ଅଭିଜ୍ଞ ରାଜନେତା, ଜନସାଧାରଣଙ୍କ ସହ ନିବିଡ଼ ସମ୍ପର୍କ ରଖିଥିବା ଜନନେତା ଓ ଅଞ୍ଚଳର ଜଣେ ପରିଚିତ ବ୍ୟକ୍ତିତ୍ୱଙ୍କ ଜୀବନଯାତ୍ରାର ଅନ୍ତ ଘଟିଥିଲା । ତାଙ୍କ ବିୟୋଗରେ ମାଣ୍ଡୋସିଲ ସମେତ ପଦ୍ମପୁର ଅଞ୍ଚଳରେ ଶୋକର ପରିବେଶ ଲାଗିରହିଛି ।