csstore

ଗାନ୍ଧୀସେବା ସଂଘ ସ୍ମାରକୀ ସମାବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ ) : ସ୍ଥାନୀୟ ଐତିହାସିକ ବେରବୋଇ ଗାନ୍ଧୀସ୍ମୃତି ପୀଠରେ ଗାନ୍ଧୀ ସ୍ମାରକୀ ସମିତି ବେରବୋଇ ପକ୍ଷରୁ ୫୫ତମ ଗାନ୍ଧୀ ସେବାସଂଘ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ମାରକୀ ସମିତିର ସଭାପତି କୁନ୍ତଳା କୁମାରୀ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମାରକୀ ସମାବେଶରେ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଅରୁନ୍ଧତୀ ଦେବୀ ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରଦୀପ ଜାଳି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧୀ ଚିନ୍ତକ ଓ ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ ମୁଖ୍ୟ ଅତିଥି, ବିଶିଷ୍ଟ ଗାନ୍ଧୀବାଦୀ ପ୍ରଫେସର ଜ୍ଞାନଦେବ ମହାରଣା ସମ୍ମାନିତ ଅତିଥି, ଗାନ୍ଧୀବାଦୀ ତଥା ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଗାନ୍ଧୀ ବିଚାର ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଗାନ୍ଧୀ ବିଚାରରେ ରୁଚି ରଖିଥିବା ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ତଥା କବି ସୂର୍ଯ୍ୟ ମିଶ୍ର, ନଳିନୀ ରଞ୍ଜନ ପଟ୍ଟନାୟକ, ପ୍ରବଚକ ଶରତ ରାଉତ, ଶିଶୁ ସାହିତ୍ୟିକ ଡ଼. ହେମନ୍ତ ଛୋଟରାୟ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଓ ସ୍ତମ୍ବକାର ଗୌରାଙ୍ଗ ଚରଣ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ମାରକୀ ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲାରୁ ଆସିଥିବା ୬ ଜଣ ସ୍ୱାଧୀନତା ସଂଗ୍ରାମୀ ଓ ସହିଦ୍ ପରିବାର ସଦସ୍ୟଙ୍କୁ ଅତିଥିମାନଙ୍କ ଦ୍ୱାରା ଉତ୍ତରୀୟ, ପୁଷ୍ପମାଲ୍ୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ମାରକୀ ସମିତିର ସଭ୍ୟ ଦିବଙ୍ଗତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସ୍ମୃତିରେ ସ୍ମୃତି ସମ୍ମାନ ଟ୍ରଫି ସହିତ ନଗଦ ଅର୍ଥରାଶି ୩ ହଜାର ଟଙ୍କା ଡେଲାଙ୍ଗ ଷ୍ଟେସନ ସ୍ଥିତ ରାଧାକାନ୍ତ ବିଦ୍ୟାପୀଠର ମେଧାବୀ ଛାତ୍ରୀ ମମତା ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଗାନ୍ଧୀ ସୃତିପୀଠ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ଦେଖି ସ୍ମୃତି ପୀଠର ଉନ୍ନତିକରଣ ଦିଗରେ ସରକାରଙ୍କ ଉଦାସୀନତା ଭାବ ପ୍ରତି ଉପସ୍ଥିତ ଅତିଥିମାନେ କ୍ଷୋଭ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଡେଲାଙ୍ଗ ଅଞ୍ଚଳରେ ଯୁବକମାନଙ୍କୁ ନେଇ ଗାନ୍ଧିଜୀଙ୍କ ପ୍ରାସଙ୍ଗିକତା ଓ ଗାନ୍ଧୀ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅୟୋଜନ ପାଇଁ ମୁଖ୍ୟ ଅତିଥି ଶ୍ରୀ ସିଂହ ସ୍ମାରକୀ ସମିତି ଆଗରେ ପ୍ରସ୍ତାବ ରଖିଥିଲେ । ସ୍ମାରକୀ ସମିତିର ଉପସଭାପତି ସନ୍ତୋଷ ବିଶ୍ୱାଳ, ସର୍ବେଶ୍ଵର ବରେଇ, ଅମରେନ୍ଦ୍ର ବାରିକ, ଭାଗିରଥୀ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଅନୁଷ୍ଠାନର ସଭ୍ୟ ତଥା ଶିକ୍ଷକ ଅଭୟ ଚରଣ ସାହୁ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.