
ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲ ଅନ୍ତର୍ଗତ ଏକ ପୁସ୍ତକ ପ୍ରଦର୍ଶନୀ ଏବଂ ସାହିତ୍ୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ସାହିତ୍ୟ ସମାଜର ଦର୍ପଣ । ଏଥିରେ ସମାଜର ସମସ୍ତ ତଥ୍ୟ ସ୍ଥାନ ପାଇଥାଏ କିନ୍ତୁ ମୋବାଇଲର ଯୁଗରେ ପୁସ୍ତକର ଆଗ୍ରହ ବଢାଇବା ଓ ଜ୍ଞାନ ଅର୍ଜନ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଏକ ବଳିଷ୍ଠ ପଦକ୍ଷେପ ନେଇ ପୁସ୍ତକ ପ୍ରଦର୍ଶନୀ ସହିତ ଏକ ସାହିତ୍ୟ ସମ୍ମିଳନୀର ଆୟୋଜନ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଛାତ୍ରମାନଙ୍କ ଦ୍ୱାରା ସାହିତ୍ୟ ସୃଷ୍ଟି ପ୍ରତି ଆଗ୍ରହ । ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ (ଇଂରାଜୀ ବିଭାଗର) ଆନନ୍ଦିନୀ ମିଶ୍ର ଏବଂ ବିଶ୍ୱନାଥ ଥାନାପତି ସଂଯୋଜନା କରିଥିଲେ । ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାର ବିଜ୍ଞ ଅତିଥିମାନଙ୍କୁ ଗହଣରେ ପାଇ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇଥିଲେ । ଇଂରାଜୀ ସାହିତ୍ୟର ବାଗ୍ମୀ ପ୍ରାଚୀ ତାରା, ହିନ୍ଦୀ ସାହିତ୍ୟର ବାଗ୍ମୀ କବୟିତ୍ରୀ ସଙ୍ଗୀତା ଶ୍ରୀବାସ୍ତବ (ସେଣ୍ଟ ପଲ ସ୍କୁଲ, ରାଉରକେଲା) ଓ ଓଡ଼ିଆ ସାହିତ୍ୟର ଅଧ୍ୟାପକ ଡ. ସଞ୍ଜୟ ହାତୀ, (ସୁଶୀଳାବତୀ ସରକାରୀ ମହାବିଦ୍ୟାଳୟ) ଉପସ୍ଥିତ ଥିଲେ । ଗଳ୍ପ କଥନ ଓ ପ୍ରଶିକ୍ଷକ ପ୍ରାଚୀ ତାରାଙ୍କ ଗଳ୍ପ କଥନ ମନମୁଗ୍ଧକର ଥିଲା । କବୀର ଏବଂ ରହିମଙ୍କ ଦୋହାର ମହତ୍ତ୍ଵ ଉପରେ କବି ସଙ୍ଗୀତା ଶ୍ରୀବାସ୍ତବଙ୍କ ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା ତଥା, ନାଟ୍ୟକାର ସଞ୍ଜୟ ହାତୀଙ୍କର ଓଡ଼ିଆ ଭାଷା ସାହିତ୍ୟର ଉନ୍ନତିକୁ ନେଇ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଛାତ୍ରମାନଙ୍କ ଯୋଗଦାନ ଉପରେ ବକ୍ତବ୍ୟ ଅତ୍ୟନ୍ତ ସୁନ୍ଦର ଥିଲା । ବିଦ୍ୟାଳୟର ଛାତ୍ର ପ୍ରିୟାଂଶୁ ବେହେରାଙ୍କ ପୁସ୍ତକ “ଦର୍ପଣ ପଛରେ ଜୀବନ”ର ଲୋକାର୍ପଣ ହୋଇଥିଲା, ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦାସକାଠିଆ, କ୍ଷୁଦ୍ର ନାଟକ, ଗଳ୍ପ କଥନରେ ଦୋହାର ଉପସ୍ଥାପନା ବାସ୍ତବିକ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଥିଲା । ସମାନ୍ତରାଳ ଭାବେ ପୁସ୍ତକ ପ୍ରଦର୍ଶନୀକୁ ଉଘାଟନ କରିଥିଲେ ପ୍ରାଚୀ ତାରା ମହୋଦୟା । ସେଠାରେ ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଉପସ୍ଥିତ ଥିଲେ । ବିଦ୍ୟାଳୟର ପରିସରରେ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହେବା ଦ୍ୱାରା ଛାତ୍ର ଓ ଅଭିଭାବକ ଦୁହେଁ ଆନନ୍ଦରେ ପୁସ୍ତକ କ୍ରୟ କରିଥିଲେ । ବିଦ୍ୟାଳୟର ସହ ସଂଯୋଜକ ବିଜୟ କୁମାର ମିଶ୍ର ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମିଶ୍ର, ବବିତା ଗୁପ୍ତା, ବୈଜୟନ୍ତି ପଟ୍ଟନାୟକ, ସ୍ମିତା ରାୟ, ଲିଲିମା ଦାସ, କନକଲତା ମିଶ୍ର, ଶିକ୍ଷକ ପ୍ରବୀର ମିଶ୍ର, ମନୋରଞ୍ଜନ ସ୍ୱାଇଁ, ବିଶ୍ୱନାଥ ଥାନାପତି ଉପସ୍ଥିତ ଥିଲେ । ପ୍ରଥମ ଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକମାନଙ୍କ ସହିତ ପୁସ୍ତକ ପ୍ରଦର୍ଶନୀ ବୁଲି ଦେଖିଥିଲେ । ସ୍କୁଲ ଛୁଟି ପରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅଭିଭାବକମାନେ ମଧ୍ୟ ପ୍ରଦର୍ଶନୀ ଦେଖିଥିଲେ । ସ୍କୁଲର ଛାତ୍ର ପ୍ରିୟାଂଶୁ ବେହେରାଙ୍କ ପୁସ୍ତକ ଉନ୍ମୋଚନ ପାଇଁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଗଲା । ପୁସ୍ତକ ଛାତ୍ର ଜୀବନର ମାର୍ଗଦର୍ଶକ ହୋଇଥାଏ । ଏ କଥାଟି ଛାତ୍ରଛାତ୍ରୀଙ୍କ ପୁସ୍ତକ ପ୍ରଦର୍ଶନୀରେ ଥିବା କୌତୁହଳ ଓ ଉତ୍ସାହ ପ୍ରକାଶ କରୁଥିଲା । ମୋବାଇଲ ଯୁଗରେ ପୁସ୍ତକ ପ୍ରଦର୍ଶନୀ ବୁଲି ଦେଖୁଥିବା ଛାତ୍ର ମାନଙ୍କ ହାତରେ ପୁସ୍ତକ ଟିଏ ଦେଖି ଅନୁମାନ କରାଯାଇଥିଲା ।