pakka

ବୁଣାକାରଙ୍କୁ ପରିଚୟ ପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କଲେ ନରସିଂହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜୀବିକା ମିଶନ ଦ୍ୱାରା ଆୟୋଜିତ ଏକ ବୁଣାକାର ସମ୍ମିଳନୀରେ ବୁଣାକାରମାନଙ୍କୁ ପରିଚୟ ପତ୍ର ଏବଂ ଚେକ୍‌ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବୟନ ଶିଳ୍ପ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ମହଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ୬ ଜଣ ବୁଣାକାରଙ୍କୁ ତାଙ୍କର ବୁଣାକାର ସହାୟତା ରାଶି ହିସାବରେ ୨୦ ହଜାର ଲେଖାଏଁ ଲକ୍ଷେ ୨୦ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରିଥିଲେ । ତା’ ସହ ଚନ୍ଦନଭାଟି ଠାରେ ନୂଆ ଭାବରେ ଗଠନ କରାଯାଇଥିବା ହରିଓଁ ବୁଣାକାର ସମବାୟ ସମିତିର ପଞ୍ଜିକୃତ ୧୯୨ ଜଣ ସଭ୍ୟମାନଙ୍କୁ ଶ୍ରୀ ମିଶ୍ର ପରିଚୟ ପତ୍ର ପ୍ରଦାନ କରିଥିଲେ । ଯା ଦ୍ୱାରା କି ଏମାନେ ଏହି ସ୍ମାର୍ଟ ପରିଚୟ ପତ୍ର ମାଧ୍ୟମରେ ବୁଣାକାରମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ପାଇଁ ଆବେଦନ କରିପାରିବେ । ଯୋଜନା ମାଧ୍ୟମରେ ଦିଆଯାଉଥିବା ବିଭିନ୍ନ ଲାଭ ଉପରେ ସଚେତନ ହୋଇପାରିବେ । ଆହୁରି ମଧ୍ୟ ଏହି ସମିତି ଗଠନ ପରେ ଏ ଅଂଚଳର ବୁଣାକାରମାନେ ଆଉ ଅନ୍ୟ ଅଂଚଳ ଉପରେ ନିର୍ଭର ନ କରି ନିଜ ଅଂଚଳରେ ଉନ୍ନତମାନର କପଡା ତିଆରି କରି ନିଜ ପାଇଁ ନିଜେ ବଜାର ତିଆରି କରି ନିଜକୁ ସ୍ୱାବଳମ୍ବି କରିପାରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ନିଜ ବକ୍ତବ୍ୟରେ ସେ ବୁଣାକାରମାନଙ୍କୁ ସହାୟତା ପାଇଁ ଗୃହ କମିଟି ମାଧ୍ୟମରେ ବିଭିନ୍ନ ସମୟରେ ସରକାରଙ୍କୁ ସୁପାରିଶ କରୁଛନ୍ତି । ଏ ଅଂଚଳର ଯେତେ ବି ବୁଣାକାର ଅଛନ୍ତି ସମସ୍ତ ବୁଣାକାରଙ୍କ ମଙ୍ଗାଶାଲର କଂକ୍ରିଟକରଣ, ବୁଣାକାରମାନଙ୍କ ପାଇଁ ବାସଗୃହ, ସୋଲାର ଲାଇଟ ଯେମିତି ପହଞ୍ଚି ପାରିବ ସେ ଉପରେ କାମ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୁଣାକାର କଙ୍ଗାଲୁ ମେହେର, ହାଡୁ ମେହେର, ତୁଳସୀ ପ୍ରସାଦ ମେହେର, ଦୁର୍ବାଦଳ ମେହେର, ଶେଷଦେବ ମେହେର ଓ ପୁରନ୍ଦର ମେହେରଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ଟେକ୍ସଟାଇଲ ନିରୀକ୍ଷକ ସୁବ୍ରଜିତ ସାହୁ, ଟେକ୍‌ନିକାଲ ଆସିଷ୍ଟାଣ୍ଟ ଦିଲିପ ଭୋଇ, ୱେଭିଂ ସୁପରଭାଜର ଜେ.ବି. ବିଶ୍ୱାଲ ଏବଂ ସୁଦର୍ଶନ ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ହରିଓଁ ବୁଣାକାର ସମବାୟ ସମିତିର ସଂପାଦକ ଦିଗାମ୍ବର ମେହେର ଏବଂ ନରେନ୍ଦ୍ର ମେହେର ପରିଚାଳନା କରିଥିଲେ । ଏହା ପୂର୍ବରୁ ବିଧାୟକ ଶ୍ରୀ ମିଶ୍ର ନିଜ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଚନ୍ଦନଭାଟି ହାଇସ୍କୁଲ ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ଅଭାବ ଅସୁବିଧା ବାବଦରେ ଆଲୋଚନା କରିଥିଲେ । ସ୍କୁଲର ଭିତ୍ତିଭୂମି, ପାଠପଢା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗରୁ ଯେପରି ଛାତ୍ରଛାତ୍ରୀମାନେ ବଂଚିତ ନ ହେବେ ସେ ଦିଗରେ ଶିକ୍ଷକ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଭିତ୍ତିଭୂମି ଓ ପାଠପଢା ପାଇଁ ଦରକାର ହେଉଥିବା ସମସ୍ତ ଜିନିଷ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

jay balangir
Leave A Reply

Your email address will not be published.

14 − 7 =