mahavir

ପଞ୍ଚାୟତିରାଜ ଦିବସ ଅବସରରେ ରାଜବୋଡାସମ୍ବର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ : ହିତାଧିକାରୀଙ୍କୁ ମିଳିଲା ସରକାରୀ ସହାୟତା

  • ବଲାଙ୍ଗିରରେ ଚାଲିଥିବା ରାଜ୍ୟସ୍ତରୀୟ ପଞ୍ଚାୟତି ରାଜ ଦିବସର ସିଧା ପ୍ରସାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚାୟତିରାଜ ଦିବସ ଅବସରରେ ବରଗଡ଼ ଜିଲ୍ଲା ରାଜବୋଡାସମ୍ବର (ପଦ୍ମପୁର) ଉପଖଣ୍ଡର ବ୍ଲକ ପ୍ରଶାସନ ପକ୍ଷରୁ ଏକ ଭବ୍ୟ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଶେଷ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଇଁ ବଲାଙ୍ଗିରରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ସିଧାପ୍ରସାରଣ ମାଧ୍ୟମରେ ଉପସ୍ଥିତ ଶତାଧିକ ଜନସାଧାରଣ ଓ ହିତାଧିକାରୀଙ୍କୁ ଦେଖାଯାଇଥିଲା । ବ୍ଲକ ସ୍ତରୀୟ ଏହି ସଭାରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ଓ ବିକାଶ ଧାରା ଉପରେ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ଓ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ବରଗଡ ସାଂସଦଙ୍କ ପ୍ରତିନିଧି ସରୋଜ ପାଣିଗ୍ରାହୀ, ଉପ-ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ଚାନ୍ଦ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ଲକର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ହିତାଧିକାରୀଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ସ୍ତରୀୟ ଏହି ସମାରୋହରେ ବିଭିନ୍ନ ବିଭାଗ ପକ୍ଷରୁ ସରକାରୀ ଯୋଜନାର ସହାୟତା ବଣ୍ଟନକୁ ପ୍ରାଧାନ୍ୟ ଦିଆଯାଇଥିଲା । ଯୋଗାଣ ବିଭାଗ ପକ୍ଷରୁ ନଳିନୀ ବେହେରା ଓ ପୁଷ୍ପାଞ୍ଜଳି ମେହେରଙ୍କ ଭଳି ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ମନରେଗା ଯୋଜନାରେ ୩୦୦ ଦିନର କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ସହଦେବ ବାଗ ଓ ବିଜୟ କରେଇଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଏବଂ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ସହ ପ୍ରୋତ୍ସାହନ ରାଶିର ଚେକ୍ ବଣ୍ଟନ କରାଯାଇଥିଲା । ମିଶନ ଶକ୍ତି ଅଧୀନରେ ଲକ୍ଷପତି ଦିଦି ଓ ସଫଳ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ଦେବତା ସଭା ପରିଚାଳନା କରିଥିଲେ । ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡ଼ିଓ) ସମସ୍ତ ଅତିଥି, ସରକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.