
- ଭୂମିହୀନଙ୍କୁ ମାଗଣା ଜମି ଓ ଘର ପ୍ରଦାନକୁ ଦେଲେ ଗୁରୁତ୍ୱ
- ସୋନଗଡ ବ୍ୟାରେଜ ନିର୍ମାଣ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା
- ବାଏପାସ, ଅଡିଟରିୟମ କାମର କ୍ଷଷପ୍ରତା ଓ ମହାରାଣୀ ସାଗର ଦୁର୍ନଷତି ତଦନ୍ତ ପାଇଁ ଅନୁରୋଧ
- ଦେଓଗାଁ ଚିନିକଳ ପୁନଃସ୍ଥାପନ ଓ ସୁକତେଲ ବିସ୍ଥାପିତଙ୍କ ବକେୟା କ୍ଷତିପୂରଣ ଶଷଘ୍ର ପ୍ରଦାନ ଉପରେ ଗୁରୁତ୍ୱ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିରବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଲୋଚନା କରିଛନ୍ତି । ଆଲୋଚନାରେ ବିଶେଷ କରି ବଲାଙ୍ଗିରର ଗରିବ ଭୂମିହୀନଙ୍କ ପାଇଁ ମାଗଣାରେ ଜମି ଓ ଗୃହ ପ୍ରଦାନ ଶୀଘ୍ର କରାଯାଉ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ତା ସହ ସୋନଗଡ ନଦୀ ଜଳକୁ ଦେଓଗାଁ, ଜରାସିଂହା ଓ ସିକୁଆଁ ଠାରେ ବ୍ୟାରେଜ କିମ୍ବା ଚେକଡେମ ନିର୍ମାଣ କରି ପାଣିକୁ ଅଟକାଇ ସେଥିରୁ ଚାଷ ଜମି ସହ ଲୋକଙ୍କ ପିଇବା ପାଣି ସମସ୍ୟା ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଦୀର୍ଘ ବର୍ଷ ହେବ ବାଏପାସ ଓ ଅଡିଟରିୟମର କାମ ଧିମା ଗତିରେ ଚାଲିଛି । ଏହାର କାମ ଶୀଘ୍ର ସମାପନ କରିବାକୁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିଥିଲେ । ବିଗତ ସରକାର ଭୀମ ଭୋଇ ମେଡିକାଲ କଲେଜକୁ ଅଧା ଅଧୁରା ସ୍ଥିତିରେ ଉଦ୍ଘାଟନ କରିଦେଇଥିଲେ । ନୂତନ ସରକାର ଆସିବା ଦୁଇ ବର୍ଷ ହୋଇଯାଇଥିଲେ ହେଁ ଆଜି ବି ସ୍ଥିତି ସମାନ । ତେଣୁ ମେଡିକାଲ କଲେଜକୁ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ଷମ କରିବା ପାଇଁ ଖାଲିଥିବା ଡାକ୍ତର ପ୍ରଫେସର ପୁରଣ ସହ ଅଣଚିକିତ୍ସା କର୍ମଚାରୀ ଓ ସୁପରସ୍ପେସାଲିଟି ଡାକ୍ତର ପର୍ଯ୍ୟାପ୍ତ ପରିମାଣରେ ନିଯୁକ୍ତି କରାଯାଉ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଠିକ୍ ସେହିପରି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କେବଳ ଏକ ସାଇନବୋର୍ଡରେ ଚାଲିଛି ବୋଲି କହିବା ସହ ଏହାର ଗବେଷଣାତ୍ମକ କାମ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ରଧ୍ୟାପକ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ମହିଳା କଲେଜର ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟାପକ, ସଂସ୍କୃତ କଲେଜରେ ଖାଲିଥିବା ପଦବୀ ପୁରଣ ତଥା ଜିଲ୍ଲାର ଅନ୍ୟ ଶିକ୍ଷାନୁଷ୍ଠାନମାନଙ୍କର ଶିକ୍ଷକ ଅଣଶିକ୍ଷକ ପଦବୀ ପୁରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ବଲାଙ୍ଗିର ଦେବୋତ୍ତରର ଉନ୍ନତି ତଥା ସମଲେଶ୍ୱରୀ ମନ୍ଦିର ଏବଂ ଗୋପାଳଜୀ ମନ୍ଦିର ଅଂଚଳର ସୌନ୍ଦର୍ଯ୍ୟକରଣ ପାଇଁ ୫୦୦ କୋଟି ଟଙ୍କାର ଅନୁଦାନ ଶ୍ରୀ ମିଶ୍ର ଦାବି କରିଥିଲେ । ବହୁ ପ୍ରତୀକ୍ଷିତ ମହାରାଣୀ ସାଗର ସୌନ୍ଦର୍ଯ୍ୟିକରଣ କାମରେ ହୋଇଥିବା ଦୁର୍ନୀତି ତଦନ୍ତ ସରକାର କାହିଁକି କରୁନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହ ଏହାର ଉପଯୁକ୍ତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ନିହାତି ଜରୁରୀ ବୋଲି ଶ୍ରୀ ମିଶ୍ର ଆଲୋଚନାରେ କହିଥିଲେ । ଏହା ସହ ମହାରାଣୀ ସାଗର, ଲକ୍ଷ୍ମୀଯୋରର ବିକାଶ ପାଇଁ ଅନ୍ତରାୟ ସୃଷ୍ଟି କରୁଥିବା ଜବରଦଖଲକୁ ଉଚ୍ଛେଦ ସହ ଗରିବ ଜବରଦଖଲକାରୀଙ୍କୁ ବିନା ମୂଲ୍ୟରେ ଜମି ଓ ଘର ଶୀଘ୍ର ସରକାର ପ୍ରଦାନ କରନ୍ତୁ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବିଜୟାନନ୍ଦ ଚିନି କଳରେ ଆର୍ଥିକ ଦୁର୍ନୀତିର ତଦନ୍ତ ସହ ଏହି ଚିନିକଳ ପୁନରୁତ୍ଥାନ କଲେ ଏ ଅଂଚଳର ଚାଷୀ ଉପକୃତ ହେବେ, ତେଣୁ ସରକାର ଏହାକୁ ହୃଦୟତାର ସହ ପୁନରୁଦ୍ଧାର କରୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିଶ୍ରଙ୍କ ତରଫରୁ ଅନୁରୋଧ କରାଯାଇଥିଲା । ଆଲୋଚନା ବେଳେ ବୁଡି ଅଂଚଳବାସୀଙ୍କ ତ୍ୟାଗ ବଳରେ ନିର୍ମାଣ ହୋଇଥିବା ସୁକତେଲ ଡ୍ୟାମରୁ ଆଜି ପର୍ଯ୍ୟନ୍ତ ଚାଷୀ ପାଣି ପାଇ ନାହାନ୍ତି । ତା ସାଙ୍ଗକୁ ଅନେକ ବିସ୍ଥାପିତ ତାଙ୍କ ବକେୟା କ୍ଷତିପୁରଣ ନ ପାଇ ଘୋର ଦୁର୍ଦ୍ଦିନରେ ରହୁଛନ୍ତି । ତେଣୁ ନୂଆ ସରକାର ଶୀଘ୍ର ବିସ୍ତାବିତଙ୍କ ସମସ୍ୟା ଶୀଘ୍ର ପୂରଣ କରୁ ବୋଲି ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ଆଲୋଚନା ବେଳେ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ଉନ୍ନତିକରଣ, ଏକ ସୁଇମିଙ୍ଗପୁଲ୍ ନିର୍ମାଣ ପାଇଁ ମଧ୍ୟ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସମସ୍ତ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ଏକ ୧୨ ଦଫା ବିଶିଷ୍ଟ ଯଥା ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏ ସମସ୍ତ ସମସ୍ୟାକୁ ନେଇ ନରସିଂହ ମିଶ୍ରଙ୍କ ସହ ସକରାତ୍ମକ ଆଲୋଚନା ସହ ଏ ସମସ୍ତ ଦାବି ଦିଗରେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ।