କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ଦେଲେ ସହମତି, ଦୁଇ ଦିନ ଧରି ପାଳନ ହେବ ‘ବଲାଙ୍ଗିର ଦିନ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୧ରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମ ଦୁଇ ଦିନ ଧରି ହେବ ବୋଲି ଜଣାପଡ଼ିଛି । ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ‘ବଲାଙ୍ଗିର ଦିନ୍‌’ କମିଟିର ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଛନ୍ତି । ଏ ନେଇ ‘ବଲାଙ୍ଗିର ଦିନ୍‌’ ପାଳନ ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ଦୁଇ ଦିନ ଧରି ହେବାକୁ ଥିବା ଏହି ମହାନ କାର୍ଯ୍ୟକ୍ରମକୁ ସହମତି ପ୍ରଦାନ କରିଛନ୍ତି । ସରକାରୀ ସ୍ତରରେ ‘ବଲାଙ୍ଗିର ଦିନ୍‌’କୁ ସରକାରୀ ମାନ୍ୟତା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି ବୋଲି କମିଟି ପକ୍ଷରୁ ସୂତ୍ରରୁ ଜଣାପଡିଛି । କୋଶଳ କଳାମଣ୍ଡଳରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହେବ । ସେଥି ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ଶୋଭାଯାତ୍ରା, ଭିଡ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍‌ ଫୋର୍ସର ସୁବ୍ୟବସ୍ଥା କରାଯିବାକୁ ସମ୍ପାଦକ ଶ୍ରୀ ମହାକୁର ନିବେଦନ କରିଥିବା ବେଳେ ସ୍ୱତନ୍ତ୍ର ଭାବେ ଆରକ୍ଷୀ ଅଧିକ୍ଷକଙ୍କୁ କମିଟି ସାକ୍ଷାତ କରିବ । ଗୁରୁବାର ସନ୍ଧ୍ୟାରେ ଆଲୋଚନା ସମୟରେ ଉପଦେଷ୍ଟା ପ୍ରଭାକର ମିଶ୍ର, ରତନ ମହାରଣା, ପ୍ରଭାସ ପାଣିଗ୍ରାହୀ, ସହ ଅଧ୍ୟକ୍ଷ ବିବେକାନନ୍ଦ ପଟେଲ ଉପସ୍ଥିତ ଥିଲେ ।

ସେହିପରି ସ୍ଥାନୀୟ ପତିତପାବନ ସମ୍ମିଳନୀ କକ୍ଷରେ ‘ବଲାଙ୍ଗିର ଦିନ’ କମିଟିର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆଙ୍କ ସଭାପତିତ୍ୱ ତଥା ପ୍ରଶାନ୍ତ ମହାକୁରଙ୍କ ଆବହକତ୍ୱରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜନୈତିକ, ସ୍ୱେଚ୍ଛାସେବୀ, ସାମାଜିକ ସଙ୍ଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଜିଲ୍ଲା ଗଠନର ଦୀର୍ଘ ବର୍ଷ ପରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ହେଉଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ‘ବଲାଙ୍ଗିର ଦିନ’ ଲଗୋକୁ ବଲାଙ୍ଗିର ସହର ସମେତ ଜିଲ୍ଲାବ୍ୟାପୀ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ମତ ପ୍ରକାଶ ପାଇଥିଲା । ଲୋକ ସଂସ୍କୃତି, ପରମ୍ପରା, କୋଶଲୀ ଫେସନ ସୋ, ସ୍ମରଣିକା ଓ ଆୟୋଜିତ ହେବାକୁ ଥିବା ସମ୍ପାନ୍ନ କାର୍ଯ୍ୟାବଳୀର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଦଳମତ ନିର୍ବିଶେଷରେ ବଲାଙ୍ଗିରିଆ ଭାବେ ଏକତା ଓ ଭାତୃତ୍ୱ ଭାବ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହା ସହ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନର ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବା ସହ କାର୍ଯ୍ୟକ୍ରମରେ ସମସ୍ତେ ସକ୍ରିୟ ଅଂଶଗ୍ରହଣ କରିବେ ଓ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ନଭେମ୍ବର ୧ ତାରିଖକୁ ଛୁଟି ଘୋଷଣା କରିବାକୁ ସାମୁହିକ ଦାବୀ ହୋଇଛି । ଉକ୍ତ ବୈଠକରେ ପୌରାଧ୍ୟକ୍ଷା ଲିକା ସାହୁ, ଗୋପାଳଜୀ ପାଣିଗ୍ରାହୀ, ନୀଳମଣି ମିଶ୍ର, ଲୋଟସ ଷଡ଼ଙ୍ଗୀ, ଦିନେଶ ଶର୍ମା, ସଂଗ୍ରାମ ବହିଦାର, ଜ୍ୟୋତିରାଜ ନାଗ, ସୁମନ ନନ୍ଦ, ପ୍ରକାଶ ନେପାକ, ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ପ୍ରସନ୍ନ ମିଶ୍ର, ଅମିତ ନାୟକ, ଗଣେଶ ସାହୁ, ତାପସ ରଂଜନ ମହାନ୍ତି, ସୋମନାଥ ଘିବେଲା, ବିକାଶ ସା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 + 17 =

error: Content is protected !!