pakka

ସାଧାରଣ ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ୧୧ ଘଟିକା ସମୟରେ ସାଧାରଣ ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଭୋଟରଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାବ୍ୟତୀତ ନିର୍ବାଚନ ଦୁର୍ନୀତି ରୋକିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିବା ଆଲୋଚନା ହୋଇଥିଲା । ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ପ୍ରତି ପ୍ରଶାସନର ପ୍ରତିବଦ୍ଧତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ନିର୍ବାଚନକୁ ସଫଳ କରିବା ପାଇଁ ପ୍ରଶାସନ ଏବଂ ରାଜନୈତିକ ଦଳ ମଧ୍ୟରେ ସହଯୋଗ ଏବଂ ସମସ୍ତ ଅଂଶୀଦାରମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାକୁ କହିଥିଲେ । ଏହା ବ୍ୟତୀତ ରାଜନୈତିକ ଦଳର ପ୍ରତିନିଧିମାନେ ନିର୍ବାଚନ ପ୍ରକ୍ରିୟାରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଆହ୍ୱାନର ମୁକାବିଲା କରିବା ଲାଗି ଗଠନମୂଳକ ଆଲୋଚନା, ବିଚାରର ଆଦାନ ପ୍ରଦାନ ଉପରେ ଧ୍ୟାନ ଦେବାକୁ କହିଥିଲେ । ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳଙ୍କ ଦ୍ୱାରା ପ୍ରଦର୍ଶିତ ସହଯୋଗର ମନଭାବକୁ ପ୍ରଶଂସା କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଫଳ କରିବା ପାଇଁ ସମସ୍ତଙ୍କର ମିଳିତ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବା ସହ ଅନ୍‌ଲାଇନ୍‌ରେ କିପରି ନାମାଙ୍କନ ସହ ପ୍ରଶାସନର ଅନୁମତି ମାଗିବେ ସେ ବାବଦରେ ଜଣାଯାଇଥିଲା । ସେମାନେ https:// suvidha.eci.gov.inରେ ସମସ୍ତ ତଥ୍ୟ ଭରି ଘରେ ନାମାଙ୍କନ କରିପାରିବେ । କୌଣସି ପରିସ୍ଥିତିର ସୂଚନା ବାବଦରେ ୧୯୫୦ ଦେୟମୁକ୍ତ ନମ୍ବରରେ ଫୋନ କରି ଜଣାଇପାରିବେ । ବୈଠକରେ ଆରକ୍ଷୀ ଅଧିକ୍ଷକ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ନିର୍ବାଚନର ବିଭିନ୍ନ ଦିଗ ଯଥା କର୍ମଚାରୀ ମୁତୟନ, ଜନଗହଳି ପରିଚାଳନା, ସର୍ଭେଲାନ୍ସ ବ୍ୟବସ୍ଥା, ନିର୍ବାଚନରେ ହେଉଥିବା ଅନିୟମିତତାକୁ ରୋକିବା ଉପରେ ଆଲୋଚନା ହୋଇଥିଲା । ସମ୍ବେଦନଶୀଳ ଅଞ୍ଚଳରେ ପୁଲିସର ଉପସ୍ଥିତିକୁ ଅଧିକରୁ ଅଧିକ କରିବା, ଶାନ୍ତିପୂର୍ଣ୍ଣ ଭାବେ ରାଲି ଓ ସାଧାରଣ ସଭା ଆୟୋଜନ କରିବା ଏବଂ କୌଣସି ପ୍ରକାର ବିଶୃଙ୍ଖଳା କିମ୍ବା ବେଆଇନ ଘଟଣାକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିବା ସେ ପ୍ରକାଶ କରିଥିଲେ । କୌଣସି ରାଲି ପାଇଁ ଆଗୁଆ ଅନୁମତି ନେବା ଉପରେ ଗୁରୁତ୍ୱ ଦେବାକୁ ଜଣେଇଥିଲେ । ପରିଶେଷରେ ଜିଲ୍ଲାପାଳ ଶ୍ରୀ ଇସଲୱାର ଉପସ୍ଥିତ ସମସ୍ତ ରାଜନେତା ଏବଂ ଅଧିକାରୀଗଣଙ୍କୁ ଆଗାମୀ ନିର୍ବାଚନ ସ୍ୱଚ୍ଛ ଓ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପାଦନା କରିବାପାଇଁ ପରାମର୍ଶ ଦେଇଥିଲେ ଏବଂ ନିର୍ବାଚନକୁ ସ୍ୱଚ୍ଛ ଭାବେ ସମ୍ପାଦନା କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳରୁ ଦିନେଶ ଶର୍ମା ଓ ଦେବବ୍ରତ ନିନା, ରମାକାନ୍ତ ନାଗ , କୈଳାଶ ମିଶ୍ର, ସମ୍ରାଟ କିଶୋର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

11 − 2 =