ସଡ଼କ ଦୁର୍ଘଟଣାରେ ଜଣେ ମୃତ : ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ

ଟିଟିଲାଗଡ ( ଗୌରବ ଦରଜୀ) : ଟିଟିଲାଗଡ ନିକଟସ୍ଥ ସିକିର୍ ଗ୍ରାମରେ ହୋଇଛି ଏକ ଦୁର୍ଘଟଣା । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଶିକିର୍ ଗ୍ରାମର ଅଜିତ୍ ନାଗ ନାମକ ଏକ ଯୁବକ କାଠ ବୋଝେଇ ଅଟୋ ଗାଡ଼ିରେ ଆସୁଥିବା ସମୟରେ ଲୁହ ଛଡ ବୋଝେଇ ଏକ ଟ୍ରାକ୍ଟର ସହ ଦୁର୍ଘଟଣା ହୋଇଥିଲା । ଟ୍ରାକ୍ଟରରେ ବୋଝେଇ ଥିବା ଲୁହ ଛଡ଼ା ଅସାମାନ୍ୟ ଭାବେ ଭାରସାମ୍ୟ ହରାଇ ଯୁବକର ପେଟରେ ଲାଗି ଯାଇଥିବା ଯୋଗୁଁ ଯୁବକଙ୍କ ପେଟରୁ ତଳକୁ ଫାଡ଼ି ହୋଇଯାଇଥିଲା ଓ ଅଟୋ ଗାଡ଼ିରୁ ତଳେ ପଡି ହାତ ଭାଙ୍ଗିବା ସହ ଅନ୍ୟାନ୍ୟ ଆହତ ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା । ଉକ୍ତ ଟ୍ରାକ୍ଟରକୁ ଟିଟିଲାଗଡ ପୋଲିସ ଜବତ କରି ପୋଲିସ ଷ୍ଟେସନରେ ରଖିଛି । ପୋଲିସ ମୃତ ବ୍ୟକ୍ତିକୁ ଆଜି ସକାଳେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ଟ୍ରାକ୍ଟର ଅବହେଳିତ ଚାଳକର ର ଭୁଲ ପାଇଁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଟ୍ରାକ୍ଟରଟି ଟିଟିଲାଗଡ ନିକଟସ୍ଥ ଅଞ୍ଚଳରେ କାମ କରୁଥିବା ଏ.ଆର୍.ଏସ.ଏସ. ର ବୋଲି ଜଣାପଡିଛି । ତେଣୁ ଗ୍ରାମବାସୀ ମୃତ ଦେହକୁ ସିକିର ଗ୍ରାମରେ ରାସ୍ତା ମଝିରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୃତ ବ୍ୟକ୍ତି ଅଜିତ ନାଗଙ୍କ ପରିବାର ବର୍ଗ ତାଙ୍କ ଉପରେ ହିଁ ନିର୍ଭର ଥିଲେ । ତାଙ୍କର ଦୁଇଟି ଛୋଟ ଛୋଟ ଝିଅ ମଧ୍ୟ ଅଛନ୍ତି । ତେଣୁ ତାଙ୍କ ପରିବାରର କ୍ଷୟ କ୍ଷତି ପୂରଣ ପାଇଁ ଗ୍ରାମବାସୀ ଏ.ଆର୍.ଏସ.ଏସ.କୁ ଦାବି କରିଥିଲେ । ଉକ୍ତ ସ୍ଥାନକୁ ଟିଟିଲାଗଡ ପୋଲିସ ଷ୍ଟେସନ ଏସ ଆଇ ମନୋଜ ମୁଣ୍ଡା ସଦଳ ବଳ ପହଞ୍ଚି ଘଟଣାକୁ ଆୟତ୍ତ କରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ପରେ ଟିଟିଲାଗଡ ଡିଏସପି ସୁରେନ୍ଦ୍ର ନାଥ ଶତପଥି ଓ ଏ.ଆର୍.ଏସ.ଏସ.ର ସ୍ଥାନୀୟ ମାନେଜର ପହଞ୍ଚିଥିଲେ । ମ୍ୟାନେଜର ପରିବାର ବର୍ଗଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ତୁରନ୍ତ ୭୦ ହଜାର ଟଙ୍କା ଦେଇଥିଲେ । ପରେ ଗ୍ରାମବାସୀ ଶବ ସତ୍କାର କରିଥିଲେ ।

Leave A Reply

Your email address will not be published.